• ଅଂଶଗ୍ରହଣ ଲାଗି ପଞ୍ଜୀକରଣର ଶେଷ ତାରିଖ ୩୧ ମାର୍ଚ୍ଚ ୨୦୨୫
• ୱେଭ୍ସ ସମ୍ମିଳନୀ ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ ଅଧୀନରେ ଆୟୋଜିତ ହେବ ଇଲେକ୍ଟ୍ରୋନିକ ଡ୍ୟାନ୍ସ ମ୍ୟୁଜିକ୍ ପ୍ରତିଯୋଗିତା
ମୁମ୍ବାଇ, (ପିଆଇବି) : ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇଠାରେ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ(ୱେଭ୍ସ) ଆୟୋଜନ କରାଯିବ । ଏହାର ଏକ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଇଲେକ୍ଟ୍ରୋନିକ ଡ୍ୟାନ୍ସ ମ୍ୟୁଜିକ୍ (ଇଡିଏମ୍) ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ‘ରିଜୋନେଟ୍ : ଦ ଇଡିଏମ ଚାଲେଞ୍ଜ’ ଶୀର୍ଷକ ଏହି ପ୍ରତିଯୋଗିତାରେ ଇଡିଏମ୍ କ୍ଷେତ୍ରର ବିଶ୍ୱସ୍ତରୀୟ ପ୍ରତିଭାମାନେ ଏକତ୍ରିତ ହେବେ । ଏଥିରେ ନବସୃଜନ, ସୃଜନଶୀଳତା ଏବଂ ସଂଗୀତ ପ୍ରଯୋଜନା ଓ ଲାଇଭ୍ ପରଫର୍ମାନ୍ସ କ୍ଷେତ୍ରରେ ସହଭାଗିତା ସ୍ଥାନ ପାଇବ । ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚାଲେଞ୍ଜ’ର ଅଂଶବିଶେଷ ସ୍ୱରୂପ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଭାରତୀୟ ସଂଗୀତ ଶିଳ୍ପ (ଆଇଏମ୍ଆଇ) ଦ୍ୱାରା ମିଳିତ ଭାବେ ଏହି ଚାଲେଞ୍ଜ ଆୟୋଜନ କରାଯାଉଛି । ଏହାର ଉଦ୍ଦେଶ୍ୟ ହେଉଛି ସଂଗୀତର ମିଶ୍ରଣ ବା ଫ୍ୟୁଜନ୍, ଇଲେକ୍ଟ୍ରୋନିକ ମ୍ୟୁଜିକ୍ ଏବଂ ଡିଜେ କଳା ପ୍ରଦର୍ଶନର ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଭାରତର ସ୍ଥିତିକୁ ସୁଦୃଢ଼ କରିବା । ଇଡିଏମ୍ ଚ୍ୟାଲେଞ୍ଜ ପାଇଁ ପଞ୍ଜୀକରଣ ବର୍ତ୍ତମାନ ଖୋଲା ରହିଛି ଏବଂ ୩୧ ମାର୍ଚ୍ଚ ୨୦୨୫କୁ ଆବେଦନର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି । ‘ରିଜୋନେଟ୍ : ଦ ଇଡିଏମ ଚାଲେଞ୍ଜ’ ଇଲେକ୍ଟ୍ରୋନିକ୍ ସଙ୍ଗୀତ କଳାକାରମାନଙ୍କୁ ଅଡିଓ, ଭିଜୁଆଲ୍ ଏବଂ ମନୋରଞ୍ଜନ କ୍ଷେତ୍ରରେ ସେମାନଙ୍କର ସୃଜନଶୀଳତା ଓ ନବସୃଜନ ପ୍ରଦର୍ଶନ କରିବାକୁ ଏକ ଅତୁଳନୀୟ ମଞ୍ଚ ପ୍ରଦାନ କରିବ । ଏଥିରେ ଭାଗ ନେଉଥିବା ପ୍ରତିଯୋଗୀମାନଙ୍କୁ ଇଲେକ୍ଟ୍ରୋନିକ୍ ସଂଗୀତ ଉଦ୍ୟୋଗର ନେତୃବର୍ଗମାନଙ୍କ ଠାରୁ ଉପାଦେୟ ପରାମର୍ଶ ଓ ମାର୍ଗଦର୍ଶନ ମିଳିବ । ପୂର୍ବରୁ ଇଲେକ୍ଟ୍ରୋନିକ୍ସ ଡ୍ୟାନ୍ସ ମ୍ୟୁଜିକ୍ କ୍ଷେତ୍ରରେ ଅଭିଜ୍ଞତା ଥିବା ବିଶ୍ୱସ୍ତରୀୟ କଳାକାର, ଗୀତିକାର, ସଂଗୀତଜ୍ଞ ଏବଂ ସଂଗୀତ ପରିବେଷଣକାରୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଏହି ପ୍ରତିଯୋଗିତା ପ୍ରତିଭାମାନଙ୍କ ପାଇଁ ଏକ ଉପଯୁକ୍ତ ମଞ୍ଚ ଯୋଗାଇ ଦେବ । ଏକ ସମନ୍ୱିତ ଏବଂ ସାଂସ୍କୃତିକ ଭାବରେ ସମୃଦ୍ଧ ସଂଗୀତ ସର୍ଜନା ପାଇଁ ବିଶ୍ୱ ସଂଗୀତ ଶୈଳୀର ବ୍ୟବହାର ଉପରେ ଧ୍ୟାନ ଦେଇ ପ୍ରତିଯୋଗିତାର ବିଷୟବସ୍ତୁ ‘ରିଜୋନେଟ୍ : ଦ ଇଡିଏମ୍ ଚାଲେଞ୍ଜ’ ରଖାଯାଇଛି । ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ଦ୍ୱାରା ଆସନ୍ତା ମଇ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ ଠାରେ ୱେଭ୍ସ ସମ୍ମିଳନୀ ଆୟୋଜନ କରାଯିବ । ଏହା ଶିଳ୍ପ ପେସାଦାର, ନିବେଶକ, ନିର୍ମାତା, ନବପ୍ରବର୍ତ୍ତକମାନଙ୍କୁ ଗଣମାଧ୍ୟମ ଓ ମନୋରଞ୍ଜନ ପରିଦୃଶ୍ୟରେ ଯୋଡ଼ି ହେବା, ସହଭାଗିତା ସ୍ଥାପନ କରିବା, ନବସୃଜନ ଏବଂ ଯୋଗଦାନ କରିବା ଲାଗି ଏକ ପ୍ରମୁଖ ବିଶ୍ୱସ୍ତରୀୟ ମଞ୍ଚ ଯୋଗାଇ ଦେବ ।