ଏକ ସୁସ୍ଥ ଭବିଷ୍ୟତ ପାଇଁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ

ନୂଆଦିଲ୍ଲୀ, (ପିଆଇବି) : ସହଜ ଏବଂ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ବ୍ୟବହାରକୁ ପ୍ରୋତ୍ସାହିତ କରିବା ତଥା ଏ ବାବଦରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ମାର୍ଚ୍ଚ ୭ ତାରିଖକୁ ‘ଜନ ଔଷଧି ଦିବସ’ ଭାବରେ ପାଳନ କରାଯାଉଛି । ଚଳିତ ବର୍ଷ ଦେଶର ଜାତୀୟ ରାଜଧାନୀ କ୍ଷେତ୍ର ଦିଲ୍ଲୀଠାରେ ଏ ବିଷୟରେ ସଚେତନତା ସୃଷ୍ଟି ପାଇଁ ମାର୍ଚ୍ଚ ୧ରୁ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମ ଦିନରେ କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ରଥ ଏବଂ ଯାନବାହନକୁ ପତାକା ଦେଖାଇ ଆରମ୍ଭ କରିଥିଲେ । ଦ୍ୱିତୀୟ ଦିନରେ ଜନ ଆରୋଗ୍ୟ ମେଳା ସହିତ ଐତିହ୍ୟ ପଦଯାତ୍ରା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୫୦୦+ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା । ତୃତୀୟ ଦିନରେ ପିଲାମାନଙ୍କ ଅଂଶଗ୍ରହଣ ଏବଂ ପୁଷ୍ଟିକର ଉତ୍ପାଦ ବଣ୍ଟନ ଉପରେ ଧ୍ୟାନ ଦିଆଯାଇଥିଲା । ଚତୁର୍ଥ ଦିନରେ ଜନ ଔଷଧି ଉତ୍ପାଦର ସୁଲଭତା ପ୍ରଦର୍ଶନ କରିବା ପାଇଁ ସାନିଟାରୀ ପ୍ୟାଡ୍ ବଣ୍ଟନରେ ମହିଳାମାନଙ୍କ ସମ୍ପୃକ୍ତି ଉପରେ ଆଲୋକପାତ କରାଯାଇଥିଲା । ପଞ୍ଚମ ଦିନରେ ୩୦ଟି ସହରରେ ଫାର୍ମାସିଷ୍ଟ ସଚେତନତା ସେମିନାର ଆୟୋଜନ କରାଯାଇଥିଲା । ଷଷ୍ଠ ଦିନରେ ଜନ ଔଷଧି ମିତ୍ର ସ୍ୱେଚ୍ଛାସେବକ ପଞ୍ଜିକରଣ ଅଭିଯାନ ଅନୁଷ୍ଠିତ ହୋଇଥିଲା ଏବଂ ସପ୍ତମ ଦିନରେ ଜନ ଔଷଧି ଦିବସ ପାଳନ କରାଯାଇଛି । ଆସନ୍ତାକାଲି ଏହି କାର୍ଯ୍ୟକ୍ରମର ଉଦ୍‍ଯାପନୀ ସହ ଜନଔଷଧି ଦିବସ ପାଳନ କରାଯିବ । “ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପ୍ରକଳ୍ପ” ନଭେମ୍ବର ୨୦୦୮ରେ କେନ୍ଦ୍ରୀୟ ଫାର୍ମା ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ ସହିତ ମିଳିତ ଭାବରେ ଔଷଧ ବିଭାଗ ଦ୍ୱାରା ଆରମ୍ଭ କରାଯାଇଥିଲା । ଉତ୍ସର୍ଗୀକୃତ ଆଉଟଲେଟ୍ ମାଧ୍ୟମରେ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହି ଆସିଛି । ପ୍ରତିବର୍ଷ ଯେଉଁ ସଚେତନତା ଆୟୋଜନ କରାଯାଉଛି ତାହାର ଉଦ୍ଦେଶ୍ୟ ଭିତରେ ଜେନେରିକ୍ ଔଷଧର ପ୍ରେସକ୍ରିପସନ୍‌କୁ ଉତ୍ସାହିତ କରିବା ବି ସାମିଲ ରହିଛି । ଅର୍ଥାତ୍‍ ସ୍ୱାସ୍ଥ୍ୟସେବା ଯୋଗାଉଥିବା ବୃତ୍ତିଧାରୀ ବିଶେଷ କରି ସରକାରୀ ହସ୍ପିଟାଲରେ ଥିବା ଡାକ୍ତରଙ୍କୁ, ଜେନେରିକ୍ ବିକଳ୍ପ ଲେଖିବାକୁ ପ୍ରୋତ୍ସାହିତ କରାଯାଉଛି । ଏହା ଦ୍ୱାରା ମୂଲ୍ୟ-ପ୍ରଭାବଶାଳୀ ଚିକିତ୍ସା ବିକଳ୍ପ ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଇଛି । ବ୍ରାଣ୍ଡେଡ୍ ଔଷଧଗୁଡ଼ିକ ସେମାନଙ୍କର ଅଣ-ବ୍ରାଣ୍ଡେଡ୍ ଜେନେରିକ୍ ସମକକ୍ଷ ମୂଲ୍ୟ ତୁଳନାରେ ଯଥେଷ୍ଟ ଅଧିକ ମୂଲ୍ୟରେ ବିକ୍ରି ହୁଏ, ଯଦିଓ ଏଗୁଡ଼ିକ ସେମାନଙ୍କର ଚିକିତ୍ସା ମୂଲ୍ୟରେ ସମାନ ରହିଥାଏ । ଅପରପକ୍ଷେ ଆମ ଦେଶ ସାରା ବିଶ୍ୱରେ ଜେନେରିକ୍ ଔଷଧର ଏକ ପ୍ରମୁଖ ରପ୍ତାନିକାରୀ ହୋଇଥିଲେ ମଧ୍ୟ ଅଧିକାଂଶ ଭାରତୀୟଙ୍କ ପାଖରେ ସୁଲଭ ଔଷଧ ପାଇଁ ପର୍ଯ୍ୟାପ୍ତ ପ୍ରବେଶ ନାହିଁ । ଏଣୁ ସଚେତନତା ପ୍ରସାର ଆବଶ୍ୟକତା ରହିଛି । ଏହି ଯୋଜନା ଅଧୀନରେ ଖାଲି ଔଷଧ ସୁଲଭ ମୂଲ୍ୟରେ ମିଳୁଛି ତା ନୁହେଁ, ଭାରତୀୟ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜନ ଔଷଧି ସୁବିଧା ଅକ୍ସୋ-ବାୟୋଡିଗ୍ରେଡେବଲ୍ ସାନିଟାରୀ ନାପକିନ୍‌ ମଧ୍ୟ ଉପଲବ୍ଧ କରାଯାଉଛି । ଏହି ଯୋଜନା ୨୭ ଅଗଷ୍ଟ ୨୦୧୯ରେ ଆରମ୍ଭ କରାଯାଇଥିଲା ଯାହାଦ୍ୱାରା ବଳ ୧ ଟଙ୍କାରେ ଗୋଟିଏ ପ୍ୟାଡ୍‍ ଉପଲବ୍ଧ ହୋଇପାରୁଛି । ଦେଶବ୍ୟାପୀ ୧୫ହଜାରରୁ ଅଧିକ କେନ୍ଦ୍ରରେ ଜନ ଔଷଧି ସୁବିଧା ନାପକିନ୍‌ ବିକ୍ରୟ ହେଉଛି । ଏଥିପ୍ରତି ମହିଳାଙ୍କ ଆଗ୍ରହ ମଧ୍ୟ ବୃଦ୍ଧି ପାଇଛି । ଏକ ହିସାବ ଅନୁସାରେ ୩୧ ମାର୍ଚ୍ଚ ୨୦୨୫ ସୁଦ୍ଧା ସୁବିଧା ୭୨ କୋଟି ନାପ୍‍କିନ୍‍ ବିକ୍ରି ହୋଇଛି । ଜନ ଔଷଧି କେନ୍ଦ୍ର ଓ ଔଷଧ ଖୋଜିବା ଲାଗି ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ମୋବାଇଲ୍‍ ଆପ୍‍ ଉପଲବ୍ଧ କରାଯାଇଛି । ଏହା ମାଧ୍ୟମରେ ଔଷଧର ମୂଲ୍ୟ, ସାମଗ୍ରିକ ସଞ୍ଚୟ ଅନୁସାରେ ଜେନେରିକ୍ ବନାମ ବ୍ରାଣ୍ଡେଡ୍ ଔଷଧର ମୂଲ୍ୟ ତୁଳନା ବି ସମ୍ଭବ ହେଉଛି । ଜନ ଔଷଧି ଔଷଧର ମୂଲ୍ୟ ଖୋଲା ବଜାରରେ ଉପଲବ୍ଧ ବ୍ରାଣ୍ଡେଡ୍ ଔଷଧର ମୂଲ୍ୟ ତୁଳନାରେ ୫୦ରୁ ୮୦ ପ୍ରତିଶତ କମ୍ । ଉତ୍ପାଦଗୁଡ଼ିକର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ କେବଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରମାଣିତ ନିର୍ମାତାମାନଙ୍କଠାରୁ ଔଷଧ କ୍ରୟ କରାଯାଇଥାଏ । ଏହା ବ୍ୟତୀତ ସର୍ବୋତ୍ତମ ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ‘ନ୍ୟାସନାଲ୍ ଆକ୍ରିଡେସନ୍ ବୋର୍ଡ ଫର୍ ଟେଷ୍ଟିଂ ଆଣ୍ଡ କାଲିବ୍ରେସନ୍ ଲାବୋରେଟୋରିଜ୍’ (ଏନ୍‍ଏବିଏଲ୍‍) ଦ୍ୱାରା ସ୍ୱୀକୃତିପ୍ରାପ୍ତ ପରୀକ୍ଷାଗାରଗୁଡ଼ିକରେ ଔଷଧର ପ୍ରତ୍ୟେକ ବ୍ୟାଚ୍ ପରୀକ୍ଷଣ କରାଯାଏ । ଏବେ ଦେଶର ବିଭିନ୍ନ ଜିଲ୍ଲାରେ ୧୫,୦୦୦ରୁ ଅଧିକ ଜନୌଷଧି କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି । ଏହି ଯୋଜନା କେବଳ ସ୍ୱାସ୍ଥ୍ୟସେବା ସୁଲଭତାକୁ ବୃଦ୍ଧି କରିଛି ତାହା ନୁହେଁ ବରଂ ସ୍ଥାୟୀ ଏବଂ ନିୟମିତ ରୋଜଗାର ପ୍ରଦାନ କରି ଆତ୍ମନିଯୁକ୍ତି ପାଇଁ ଏକ ପ୍ରତିଶ୍ରୁତିବଦ୍ଧ ରାସ୍ତା ମଧ୍ୟ ସୃଷ୍ଟି କରିଛି । ସରକାର ଜେନେରିକ୍ ଔଷଧର ବ୍ୟବହାରକୁ ପ୍ରୋତ୍ସାହିତ କରିବା ଜାରି ରଖିଥିବାରୁ, ଏହି ଯୋଜନା ଆହୁରି ଅଭିବୃଦ୍ଧି ହାସଲ କରିବ, ଯାହା ଭାରତରେ ଜନସ୍ୱାସ୍ଥ୍ୟର ଉନ୍ନତି ଏବଂ ଉଦ୍ୟୋଗୀତାକୁ ବୃଦ୍ଧି କରିବାରେ ଏହାର ଭୂମିକାକୁ ସୁଦୃଢ଼ କରିବ ।

Leave A Reply

Your email address will not be published.