- ମୋର ଛାତ୍ରଛାତ୍ରୀମାନଙ୍କ ଏହି ଭକ୍ତି ଓ ସମ୍ମାନ ମତେ ଅଧିକ ଦିନ ବଂଚିବାର ଉତ୍ସାହ ଦେଇଛି – ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ନେତ୍ରଭାନୁ ହାଇସ୍କୁଲ ଜରାସିଂହାର ୧୯୭୯ ମ୍ୟାଟ୍ରିକ ବ୍ୟାଚ୍ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଜରାସିଂହା ଲକ୍ଷ୍ମଣଝୁଲା ଠାରେ ଗୁରୁପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗତ ଜାନୁୟାରୀ ୩୧ ତାରିଖରେ ଭୀମପାହାଡ ଠାରେ ଅନୁଷ୍ଠିତ ଏହି ବ୍ୟାଚ୍ର ବନ୍ଧୁମିଳନ କାର୍ୟ୍ୟକ୍ରମରେ ଗୁରୁପୂଜନ କାର୍ଯ୍ୟକ୍ରମର ସଂକଳ୍ପ ନିଆଯାଇଥିଲା । ସେ ସମୟରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ମଧ୍ୟରୁ କେବଳ ତିନି ଜଣ ଜଗଦାନନ୍ଦ ଛୁରିଆ, ନରସିଂହ ଦଣ୍ଡସେନା ଓ ସତ୍ୟନାରାୟଣ ମିଶ୍ର ଜୀବିତ ଅଛନ୍ତି । ତିନି ଗୁରୁଙ୍କ ପଦ ବନ୍ଦନା କରାଯାଇଥିଲା । ଗୁରୁ ଜଗଦାନନ୍ଦ ଛୁରିଆ ଓ ନରସିଂହ ଦଣ୍ଡସେନା ଲକ୍ଷ୍ମଣଝୁଲା ଯାଇ ସମ୍ବର୍ଦ୍ଧନା ଗ୍ରହଣ କରିଥିବା ବେଳେ ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ସତ୍ୟନାରାୟଣ ମିଶ୍ର ଯାଇପାରିନଥିଲେ । ସନ୍ଧ୍ୟା ସମୟରେ ତାଙ୍କ ଘରକୁ ଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଡ. ଶଶିଭୂଷଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଉପସ୍ଥିତ ସେ ସମୟର ଛାତ୍ରଛାତ୍ରୀ ତଥା ବର୍ତ୍ତମାନର ପୌଢ ପୌଢା ଜଣ ଜଣ କରି ନିଜର ସ୍ଥିତି ସମ୍ପର୍କରେ ସୂଚିତ କରିବା ସହିତ ଜୀବନରେ ଯାହା କିଛି ହୋଇଛନ୍ତି ବା ଯାହା କିଛି ପାଇଛନ୍ତି ସବୁ ଏହି ଗୁରୁମାନଙ୍କ ଆଶିର୍ବାଦ ବୋଲି ମତ ରଖିଥିଲେ । ଗୁରୁ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଭାବବିହ୍ୱଳ ହୋଇ କହିଥିଲେ ଯେ ‘ମୋର ଛାତ୍ରଛାତ୍ରୀମାନଙ୍କ ଏହି ଆୟୋଜନ, ଆମ ମାନଙ୍କ ପ୍ରତି ଭକ୍ତି ଓ ସମ୍ମାନ ପ୍ରଦର୍ଶନ ମତେ ଅତ୍ୟନ୍ତ ପ୍ରୀତ କରିଛି । ମତେ ଆଗକୁ ଆହୁରି ବଂଚିବାର ଉତ୍ସାହ ଯୋଗେଇ ଦେଇଛି” । ସେହିପରି ଗୁରୁ ନରସିଂହ ଦଣ୍ଡସେନା ଭାବବିହ୍ୱଳ ହୋଇ କହିଥିଲେ ‘ମୁଁ ବିଇଡି କରି ନ ଥିବାରୁ ଅନ୍ୟ ଶିକ୍ଷକମାନଙ୍କ ତୁଳନାରେ କମ୍ ଦରମା ପାଉଥିଲି ଏବଂ ସେଥିପାଇଁ ମୋର ଗୋଟିଏ କ୍ଷୋଭ ରହିଥିଲା । ଆଜି ମୋର ସେହି କ୍ଷୋଭ ଦୂର ହୋଇଗଲା । ମୋର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦତ୍ତ ଏହି ଭକ୍ତି ଓ ସମ୍ମାନ ମୋତେ ବିଇଡି ଦରମା ଦେଇଦେଲା । ଆଜି ମୁଁ ବିଇଡି ଦରମା ପାଇଗଲି’ । ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠିତ ହେଉଥିବା ଖେଳ ପ୍ରତିଯୋଗିତାରେ ଶିକ୍ଷକମାନଙ୍କ ସମ୍ମାନ ଦୌଡରେ ପ୍ରାୟତଃ ସତ୍ୟନାରାୟଣ ମିଶ୍ର ପ୍ରଥମ ହେଉଥିଲେ । ତାକୁ ସ୍ମରଣ କରି ଗୁରୁଶ୍ରୀ ମିଶ୍ର ଭାବ ଗଦ୍ଗଦ୍ ହୋଇ କହିଥିଲେ ‘ତୁମ ମାନଙ୍କୁ ମୋର ଘରେ ପାଇ ଓ ତମର ସମ୍ବର୍ଦ୍ଧନା ଗ୍ରହଣ କରି ମୋର ଇଚ୍ଛା ହେଉଛି ଏହି ବୃଦ୍ଧ ବୟସରେ ଓ ଭଗ୍ନ ସ୍ୱାସ୍ଥ୍ୟରେ ମଧ୍ୟ ଏବେ ଜରାସିଂହା ଯାଇ ହାଇସ୍କୁଲ ପଡିଆରେ ୧୦୦ ମିଟର ରେସ୍ ଦୌଡି ଦିଅନ୍ତି ।