ବାରିପଦା, (ଦେବସ୍ମିତ ଚୌଧୁରୀ) : ସରକାରୀ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ, ବାରିପଦା ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରଥିନ୍ଦ୍ରନାଥ ଘୋଷଙ୍କ ପୌରହିତ୍ୟରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଯୋଗେଶ୍ୱର ଘୋଷ ମହାପାତ୍ର ବିଜ୍ଞାନର ଭାବାତ୍ମକ, ଜ୍ଞାନାତ୍ମକ, ବିକାଶ କ୍ରିୟାତ୍ମକ ଦିଗକୁ ବୁଝିବା ଏହି ବିଜ୍ଞାନ ଦିବସର ଲକ୍ଷ୍ୟ ବୋଲି କହିଥିଲେ । ସେହିପରି ସମ୍ମାନିତ ଅତିଥି ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନରଞ୍ଜନ ଆଚାର୍ଯ୍ୟ ଦୈନନ୍ଦିନ ଜୀବନରେ ଅନ୍ଧବିଶ୍ୱାସର ଦୂରୀକରଣ ପାଇଁ ବିଜ୍ଞାନର ସହାୟତା ,ବୈଜ୍ଞାନିକ ପଦ୍ଧତି ଓ କୌଶଳକୁ ବୁଝି ତାହା ଦୈନଦିନ ଜୀବନରେ ପ୍ରୟୋଗ କରିବା ତଥା ବିଜ୍ଞାନର ସ୍ଥାୟୀ ବିକାଶ ପାଇଁ ସ୍ଵଚ୍ଛ ଓ ସବୁଜ ଶକ୍ତିକୁ ସମାଜରେ ବ୍ୟବହାର କରିବା ଉପରେ ଗୁରୁତ୍ଵ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ବରିଷ୍ଠ ବୈଜ୍ଞାନିକ ଶୁଭାଶିଷ ଚାଟାର୍ଜୀ ଯୋଗଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ଶିକ୍ଷାର୍ଥୀ ମାନଙ୍କୁ ବାସ୍ତବ ସମସ୍ୟାର ସମାଧାନ ପାଇଁ ସକ୍ଷମ କରେଇବାର ଉପାୟ ବିଷୟରେ ଛାତ୍ରଛାତ୍ରୀ ମାନଙ୍କ ମାର୍ଗଦର୍ଶନ କରିଥିଲେ । ଏହି ଦିବସ ଅବସରରେ ଅନୁଷ୍ଠାନ ପକ୍ଷରୁ କୁଇଜ୍ ଓ ପୋଷ୍ଟର ପ୍ରସ୍ତୁତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ଶାରୀରିକ ଶିକ୍ଷା ପ୍ରଶିକ୍ଷିକା ଚାନ୍ଦିନୀ ଖାତୁନ ସଭା ପରିଚାଳନା କରିଥିବା ବେଳେ ଏବଂ ଗ୍ରନ୍ଥାଗାରିକ ଅମିତ କୁମାର ଦଳେଇ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥଲେ ।
Next Post