ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ କ୍ଲଷ୍ଟରରେ କ୍ଲଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ମେଳା ଗୁଡିଘାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା । ଗୁଡିଘାଟ ୟୁପି ସ୍କୁଲ ପ୍ରଧାନଶିକ୍ଷକ ଭଗତ ନାଗ ମୁଖ୍ୟଅତିଥି ଭାବରେ ଉପସ୍ଥିତ ହୋଇ ଗୁଡିଘାଟ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଲକ୍ଷ୍ମୀକାନ୍ତ ମହାନନ୍ଦଙ୍କ ସଂଯୋଜନାରେ ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀ ମେଳା ଉଦ୍ଘାଟନ ହୋଇଥିଲା । ଏହି କର୍ମଶାଳାରେ ଗୁଡିଘାଟ କ୍ଲଷ୍ଟର ଅଧୀନସ୍ଥ ୧୬ଟି ବିଦ୍ୟାଳୟରୁ ଜଣେ ଲେଖାଏଁ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି ୨ଦିନ ଧରି ୩୫ଗୋଟି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ । ଶେଷ ଦିନ ତାହା ବିଦ୍ୟାଳୟ ଠାରେ ଛାତ୍ରଛାତ୍ରୀଙ୍କ ଗହଣରେ ପ୍ରଦର୍ଶନ ହୋଇଥିଲା । ଶିକ୍ଷଣ ସାମଗ୍ରୀ କର୍ମଶାଳା ଓ ପ୍ରଦର୍ଶନୀର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ରୁପେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ଓ ସମ୍ମାନିତ ଅତିଥି ରୂପେ ମୁରିବାହାଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାନ୍ତାରାମ ଧରୁଆ ଯୋଗଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଢ଼ିହାରୀ ଶିକ୍ଷଣ ସାମଗ୍ରୀରେ ଯେପରି ବିଦ୍ୟାଳୟ ସ୍ତରରେ ପ୍ରୟୋଗ ହୋଇପାରିବ ଓ ସମସ୍ତ ବିଭାଗ ଉପରେ ପ୍ରସ୍ତୁତ ହୋଇପାରିବ ତା ଉପରେ ଆଲୋକପାତ କରିଥିଲେ । ସଭା ଶେଷରେ ପଙ୍ଗନିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରୁଣ ସିଂ ଦୀପ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।