ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରର ବିଭିନ୍ନ ଶୈବାଳୟ ଏବଂ ଏହାର ଆଖପାଖ ବିଭିନ୍ନ ଶୈବପୀଠ ବେଶ ଚଳଚଞ୍ଚଳ ହୋଇ ଉଠିଥିବା ଦେଖାଦେଇଛି । ପବିତ୍ର ମହାଶିବରାତ୍ରି ଅବସରରେ ଭକ୍ତମାନେ ଶିବ ମନ୍ଦିର ବେଢ଼ା ପରିସରରେ ସନ୍ଧ୍ୟାରେ ଆରତୀ ଦର୍ଶନ କରିବା ପରେ ଶିବ ଭଗବାନଙ୍କୁ ଏକାଗ୍ର ଚିତ୍ତରେ ଧ୍ୟାନ କରି ବ୍ୟକ୍ତିଗତ ଭାବେ ନିଜେ ନିଜେ ଗୋଟିଏ ଲେଖାଏଁ ମହାଦୀପ ଜାଳି ଜାଗର ମେଳା ପାଳିଥିବା ଏକ ନିଆରା ଉଦାହରଣ ହୋଇଛି । ବିଳମ୍ବିତ ରାତିରେ ମହାଦୀପ ଉଠିବା ପର୍ଯ୍ୟନ୍ତ ବ୍ରତ ଉପବାସ ନିଷ୍ଠାର ସହ ପାଳନ କରିଛନ୍ତି । ବିଭିନ୍ନ ସ୍ଥାନରେ ଅଷ୍ଟପ୍ରହର ନାମଯଜ୍ଞର ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । ଛତ୍ରପୁର ସହରର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିର, ବୀରେଶ୍ୱର ମନ୍ଦିର, ବିଶ୍ୱେଶ୍ଵର ମନ୍ଦିର, ଗୋରୀଶଙ୍କର ମନ୍ଦିର, ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପାର୍ଶ୍ଵ ଦେବଦେବୀ ଭାବେ ପୂଜା ପାଉଥିବା କାଶୀ ବିଶ୍ଵନାଥ ମନ୍ଦିରରେ ମଧ୍ୟ ନାମଯଜ୍ଞ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ଛତ୍ରପୁର ସହରର ମଝି ବଜାର ନିକଟସ୍ଥ ନୀଳକଣ୍ଠେଶ୍ୱର ମନ୍ଦିର ତରଫରୁ ନାମଯଜ୍ଞ କାର୍ଯ୍ୟକ୍ରମର ଆୟୋଜନ ସାଂଗକୁ ବିଗତ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ହରି-ହାଟର ଆୟୋଜନ ହୋଇଥିଲା । ବିଗତ ବର୍ଷ ପରି ଚଳିତବର୍ଷ ମଧ୍ୟ ଗଞ୍ଜାମ ସହରର ପ୍ରସିଦ୍ଧ ଚୈତନ୍ୟ ମଠର ମଠାଧିଶ ମହନ୍ତ ମହାରାଜଙ୍କ ପୌରହିତ୍ୟରେ ବର୍ଣ୍ଣାଢ଼୍ୟ ସମାରୋହରେ ହରି-ହାଟର ଆୟୋଜନ ହୋଇଥିଲା । ଅଗଣିତ ଦର୍ଶକ ତଥା ଭକ୍ତଗଣ ଏହି ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ବିଭୁକୃପା ଲାଭ କରି ନିଜକୁ ଅତ୍ୟନ୍ତ ଧନ୍ୟ ମନେ କରିଛନ୍ତି ।