ବଲାଙ୍ଗିର ଜିଲ୍ଲା ପୋଲିସ ପ୍ରଶାସନ ଓ ତୁରେକେଲା ପୋଲିସ ଦ୍ୱାରା ଜନ ସଂପର୍କ ଶିବିର ଆୟୋଜିତ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ପୋଲିସ ପ୍ରଶାସନ ଓ ତୁରେକେଲା ପୋଲିସ ଦ୍ୱାରା ଜନ ସଂପର୍କ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପୋଲିସ ଓ ଜନସାଧାରଣଙ୍କର ସୁସଂପର୍କ ସ୍ଥାପନ କରିବା ସହ ଉପାନ୍ତ ଅଞ୍ଚଳରେ ରହୁଥିବା ପୋଲିସ ସେବା ଯୋଗାଇ ଦେବା ପାଇଁ ତୁରେକେଲା ସଦା ତତ୍ପରତା ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଆଖପାଖ ଗାଁର ଉଭୟ ମହିଳା ପୁରୁଷ ଆସି ସ୍ୱାସ୍ଥ୍ୟ କ୍ୟାମ୍ପରେ ସ୍ୱାସ୍ଥ୍ୟ ସଂପର୍କରେ ଅଭିଜ୍ଞ ଡାକ୍ତରଙ୍କୁ ଦେଖାଇଥିଲେ । ତା’ସହ ଅଂଚଳର ଖେଳାଳୀମାନଙ୍କୁ ନେଇ ଏକ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଆୟୋଜିତ କରାଯାଇଥିଲା । ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଲକ୍ଷ୍ମୀନାରାୟଣ ମାରାଣ୍ଡି, ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ, ମହଖଣ୍ଡ ସରପଞ୍ଚ ଶ୍ରୀମତୀ ଗୋଜା କୁମ୍ଭାର ଉପସ୍ଥିତ ଥିଲେ । ଉକ୍ତ ଶିବିରରେ ପୋଲିସ ପ୍ରଶାସନ ତରଫରୁ ଛତା, ଲାଇଟ୍, ପିଲା ଛୁଆଙ୍କ ପାଇଁ କମ୍ବଳ, ପୁସ୍ତକ, ପାଣି ବୋତଲ ଓ କ୍ରିକେଟ୍ ଦଳ ମାନଙ୍କୁ କ୍ରିକେଟ୍ ବ୍ୟାଗ୍ ଖେଳ ସାମଗ୍ରୀ ବଣ୍ଟନ କରିଥିଲେ । ଏହି ଅବସରରେ ଆଖି ବିଶେଷଜ୍ଞମାନେ ୭୫ ଜଣଙ୍କ ମାଗଣାରେ ଚିକିତ୍ସା କରିଥିଲେ । ପୋଲିସ ଓ ସାଧାରଣ ଜନତାଙ୍କ ଭିତରେ ଉତ୍ତମ ସଂପର୍କ ଓ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ସହଯୋଗ ନିତାନ୍ତ ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ତୁରେକେଲା ଥାନା ଅଧିକାରୀ ରମାକାନ୍ତ ସାହୁଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.