csstore

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵ ଓ ଉପସଭାପତି ଡ. ସନାତନ ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଙ୍ଗୁରବାଳା ପରିଡ଼ା ମୁଖ୍ୟ ଆଲୋଚିକା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ କାବ୍ୟକଳା ସମ୍ପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ ତ୍ୟାଗ ହିଁ ଅପ୍ରାକୃତ ପ୍ରେମ । ଅବ୍ୟକ୍ତ ଲୀଳାର ନାୟକ ଶ୍ରୀକୃଷ୍ଣ । ବିଦଗ୍ଧ ଚିନ୍ତାମଣି କାବ୍ୟର ନାୟକ ଶ୍ରୀକୃଷ୍ଣ ଓ ନାୟିକା ରାଧାଙ୍କ ଶାସ୍ୱତ ପ୍ରେମ, ଲୌକିକ ପ୍ରେମ ଓ ଅପ୍ରାକୃତ ପ୍ରେମ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଶତପଥୀ ଅନୁଷ୍ଠାନର ଆଭିମୁଖ୍ୟ ଓ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଆଲୋଚ୍ୟ ପ୍ରସଙ୍ଗର କଳା ନୈପୁଣ୍ୟ ଉପରେ ବକ୍ତବ୍ୟ ରଖିଥିଲେ । ଉପସଭାପତି ଡ଼ଃ ପ୍ରଧାନ ଅତିଥି ମାନଙ୍କ ପରିଚୟ ସହ ପାଠାଗାରର ସାହିତ୍ୟ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ ଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମ୍ୟୁନିସିପାଲ ମହାବିଦ୍ୟାଳୟର ଅଧ୍ୟାପକ ସଞ୍ଜୟ କୁମାର ମହାପାତ୍ର ଝିଣ୍ଟିକା ଓ ପିମ୍ପୁଡ଼ି ସମ୍ପର୍କରେ ଏକ ଗଳ୍ପ ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟରେ କବି ନିରୁପମା ପତିଙ୍କ ସଭାପତିତ୍ୱ, ରାଉରକେଲା କଲେଜର ଅଧ୍ୟାପିକା ପ୍ରିୟଙ୍କା ପଲେଇ ଓ କବୟିତ୍ରୀ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କୁଞ୍ଜବିହାରୀ ରାଉତ, ଗଗନ ବିହାରୀ ନାୟକ, ସସ୍ମିତା ପ୍ରଧାନ, ବ୍ରଜେନ୍ଦ୍ର ଦାଶ, କରୁଣାକର ପାଟ୍ଟଶାଣୀ, ମୋହନ ସିଂ, ପ୍ରଳୟ ଶତପଥୀ, ସଞ୍ଜୟ ମହାପାତ୍ର, ମୋନାଲିସା ବେହେରା, ଅଙ୍ଗୁରବାଳା ପରିଡ଼ା, ନିରୁପମା ପତି ଓ ସଂଯୋଜିକା ଦ୍ୱୟ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଭୟ କୁମାର ଦାସ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଜଗନ୍ନାଥ ରାଉତ, ଭଗବାନ ପରିଡ଼ା, ଡା ବସନ୍ତ କୁମାର ଦାସ, ରାଜୀବ ପାଣି, ଅକ୍ଷୟ ସାମଲ, ଜୟଶ୍ରୀ ଦାସ, ଜ୍ୟୋତିରଞ୍ଜନ ମହାପାତ୍ର, ଗୀତାଞ୍ଜଳି ପାତ୍ର, ମନୋଜ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.