ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ପ୍ରବାହିତ ସମୁଦ୍ର ଜଳରୁ ମିଠା ଜଳ ସଂଗ୍ରହ କରି ଜନସାଧାରଣଙ୍କ ନିମନ୍ତେ ପାନୀୟ ଜଳଭାବେ ବ୍ୟବହାରରେ ଆସିବ । ସମୁଦ୍ର ପାଣିରୁ ଏହି ପ୍ରକଳ୍ପ ସ୍ଥାପନ ନିମନ୍ତେ ଗଞ୍ଜାମ ଜିଲା ପ୍ରଶାସନ ସହ ଆଇ.ଆର୍.ଇ.ଏଲ୍. ମଧ୍ୟରେ ଏମ୍.ଓ.ୟୁ.ସ୍ୱାକ୍ଷରୀତ ହୋଇଛି । ଏହା ଦ୍ୱାରା ସମୁଦ୍ର ପାଣିକୁ ମଧୁର ଜଳ ଭାବେ ଗଞ୍ଜାମବାସୀ ବ୍ୟବହାର କରିପାରିବେ । ଏହି ଏମ୍.ଓ.ୟୁ. ସ୍ୱାକ୍ଷର ବେଳେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ (RWSS) ଓ ଆଇ.ଆର୍.ଇ.ଏଲ୍. (IREL) କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଦୁଇଟି ଗାଁ ଆର୍ଯ୍ୟପଲ୍ଲୀ ଓ ମାଟିଖାଲକୁ ପାଣି ଯୋଗାଇ ଦିଆଯିବ । ଆଇ.ଆର୍.ଇ.ଏଲ୍ ପ୍ଲାଣ୍ଟ ପରିସର ମଧ୍ୟରେ ଏହି ପ୍ରୋଜେକ୍ଟ ହେବ ଏବଂ ଏହାର କାମ ଗୋଟିଏ ବର୍ଷ ମଧ୍ୟରେ ଶେଷ ହେବ । ଏହି ପ୍ରୋଜେକ୍ଟ ଦ୍ୱାରା ପାନୀୟ ଜଳ ସଙ୍କଟକୁ ଦୂର କରିବ ବୋଲି କୁହାଯାଇଛି । ଏହାର ଅଟକଳ ମୂଲ୍ୟ ୧୩୦ କୋଟି ଟଙ୍କା ରହିଛି । କମ୍ପାନୀ ନିର୍ମାଣ ପ୍ରାୟ ସରିଯାଇଛି ଏବଂ ଏହା ପାଇପ୍ ଯୋଗେ ଘରକୁ ପାଣି ଯୋଗାଇ ଦିଆଯିବ । ଏଥି ନିମନ୍ତେ ବହୁତ ଶୀଘ୍ର ସରିବ ଟେଣ୍ଡର ପ୍ରକ୍ରିୟା ଏବଂ ପ୍ରୋଜେକ୍ଟ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।