ଭୁବନେଶ୍ଵର : ମହାକୁମ୍ଭରୁ ମହାଯାତ୍ରା । ପୂଣ୍ୟ ଅର୍ଜିବାକୁ ପ୍ରୟାଗରାଜ ବୁଡ଼ ପକାଇବାକୁ ଯାଇଥିଲେ । ହେଲେ ଘରକୁ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା ତ ଗୁରୁବାର କାର୍ ଯୋଗେ ହସଖୁସିରେ ପ୍ରୟାଗରାଜ ଯାଇଥିଲେ ରାଉରକେଲା କୋଏଲ ନଗରର ପୁଜାରୀ ପରିବାର । ମଉସା, ମାଉସୀଙ୍କ ସହ ମା, ସ୍ତ୍ରୀ ଓ ଦୁଇ ବର୍ଷର ଶିଶୁକନ୍ୟାଙ୍କୁ ଧରି ନିଜେ କାର୍ ଚଳାଇ ଯାଇଥିଲେ ରତିନ ପୁଜାରୀ । ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇ ସୋମବାର ପୂର୍ବାହ୍ନରେ ପ୍ରୟାଗରାଜ ଛାଡ଼ିଥିଲେ ପୁଜାରୀ ପରିବାର । ହେଲେ ୟୁପିର ସୋମଭଦ୍ରାରେ ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା କାର୍ । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ ଘଟଣା ସ୍ଥଳରେ ଚାଲିଯାଇଥିଲା ରତିନଙ୍କ ଜୀବନ । ଗୁରୁତର ଭାବେ ସୋମଭଦ୍ରା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ପରିବାରର ଅନ୍ୟ ସଦସ୍ୟ । ତେବେ ରତିନଙ୍କ ମାଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ବୁଧବାର ରତିନଙ୍କ ମୃତଦେହ ଧରି ଘରକୁ ଫେରିଛନ୍ତି ପରିବାର । ସେପଟେ ବାରାଣାସୀ ଡ଼ାକ୍ତରଖାନାର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ରତିନ ମଉସା ମାଉସୀ । ରତିନଙ୍କ ମୃତଦେହ ଫେରିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ିଛି ଘର । ଏକମାତ୍ର ସାହା ଭରଷାକୁ ହରାଇ ଭାଙ୍ଗି ପଡିଛି ପରିବାର। ୪/୫ ବର୍ଷେ ତଳେ ବାପା ଆରପାରିକୁ ଯାଇଥିଲେ । ଆଉ ଏବେ ପୁଅର ଅକାଳ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି ପରିବାର ଲୋକେ ।