ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ ବସନ୍ତ ଉତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଛି । ଦୁଇଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ବିପିୟୁଟି କୁଳପତି ପ୍ରଫେସର ଅମୀୟ କୁମାର ରଥ ଏବଂ ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ କୈଳାଶ ପାଣିଗ୍ରାହୀ ଏବଂ ସମ୍ମାନିତ ବକ୍ତା ଭାବେ ମହାବିଦ୍ୟାଳୟ ପରିଚାଳନା ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ଶିକ୍ଷାବିତ୍‌ ପ୍ରଫେସର ସମର ମୁଦାଲି ପ୍ରମୁଖ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସସ୍ମିତା ସାମଲ ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିବା ସହ ସ୍ୱାଗତ ଅଭିଭାଷଣ ଦେଇ ଛାତ୍ରଛାତ୍ରୀମାନେ ଶୃଙ୍ଖଳାର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟ ଅତିଥି ପ୍ରଫେସର ରଥ ତାଙ୍କ ବକ୍ତବ୍ୟରେ ଜୀବନରେ ସଫଳ ହେବା ପାଇଁ ଛାତ୍ରଛାତ୍ରୀମାନେ ପାଇଁ କେବଳ କଳା, ବିଜ୍ଞାନ ବା ବାଣିଜ୍ୟ ପଢ଼ିବା ସହିତ ପରିବର୍ତ୍ତୀତ ସମୟାନୁସାରେ କୃତ୍ରିମ ବୁଦ୍ଧିମତା ଓ ନୂଆ ନୂଆ ପ୍ରଯୁକ୍ତି ଏବଂ ବୈଷୟିକ ବିଦ୍ୟା ଆୟତ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ । ସବୁ ମଣିଷଙ୍କ ମଧ୍ୟରେ ଏକ କଳାକାର ରହିଛି, ତେଣୁ ଏହି କଳାର ବିକାଶ ଦିଗରେ ଛାତ୍ରଛାତ୍ରୀମାନେ ପଦକ୍ଷେପ ନେବାକୁ ସମ୍ମାନିତ ଅତିଥି ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ । ପ୍ରଫେସର ମୁଦାଲି ତାଙ୍କ ବକ୍ତବ୍ୟରେ ସମ୍ପ୍ରତି ସମାଜ ଓ ପରିବାରରେ ଆଧ୍ୟାତ୍ମିକ ଓ ସଠିକ ସାମାଜିକ ଶିକ୍ଷାର ଅଭାବରୁ ଛାତ୍ରଛାତ୍ରୀମାନେ ବିପଥଗାମୀ ହେଉଛନ୍ତି ବୋଲି କହିଥିଲେ । ତେଣୁ ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନ ସହିତ ଅଧ୍ୟାତ୍ମିକ ଓ ମାନବୀୟ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ମହାବିଦ୍ୟାଳୟର ଡ୍ରାମାଟିକ ସୋସାଇଟିର ଉପାଧ୍ୟାକ୍ଷା ରାମେଶ୍ୱରୀ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାର ଡ୍ରାମାଟିକ ସୋସାଇଟିର ଉପାଧ୍ୟକ୍ଷା ମନିଶା ନାୟକ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପିକା ରଶ୍ମିରେଖା ପଲ୍‌ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ । ଅଧ୍ୟାପିକା ମମତା ବାକ୍ସଲାଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ବର୍ଗର ପ୍ରତିଯୋଗିତାର ୨୧୩ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଉଦ୍‌ଘାଟନୀ ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଅଧ୍ୟାପିକା ନମିତା ସ୍ୱାଇଁ, ଅନିତା ଜୈନ, ଡ. ସୁଷମା ମୋଦୀ ଓ ପି ସୋନାଲୀ ମୌସୁମୀଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୋଟିଏ ନାଟକ ସମେତ ମୋଟ ୪୪ଟି ନୃତ୍ୟ ଓ ସଙ୍ଗୀତ ଭିତ୍ତିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରିବାରେ ମହାବିଦ୍ୟାଳୟ କଳା ବିଭାଗ ସମିତିର ଉପାଧ୍ୟାକ୍ଷା ଅଧ୍ୟାପିକା ଲଳିତା ମୁକ୍ତା ବାର୍ଲା, ବାଣିଜ୍ୟ ବିଭାଗ ସମିତିର ଉପାଧ୍ୟକ୍ଷ ଧିରେନ ମହନ୍ତ, ବିଜ୍ଞାନ ବିଭାଗ ସମିତିର ଅନ୍ନପୂର୍ଣ୍ଣା ମହନ୍ତ ଓ ଦିବାଧ୍ୟାୟୀ ସମିତିର ଅଧ୍ୟାପିକା ମେରି ଏଲିଜେବଥ କାଶ୍ମୀର ନାଗଙ୍କ ସମେତ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ ସେଠୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଉଦ୍‌ଯାପନୀ ତଥା ଦ୍ୱିତୀୟ ଦିନରେ ଉଭୟ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ସଂଘ ବର୍ଗର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Leave A Reply

Your email address will not be published.