ଆସନ୍ତା ୧୪ରେ ଅନୁଷ୍ଠିତ ହେବ ଉଦାହରଣ ଟ୍ରଷ୍ଟର ତୃତୀୟ ସହୀଦ ସମ୍ମାନ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ସହୀଦଙ୍କ ପ୍ରତି ସମର୍ପିତ ଥିବା ଉଦାହରଣ ଟ୍ରଷ୍ଟ ପକ୍ଷରୁ ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ତାରିଖ ଦିନ ସନ୍ଧ୍ୟା ୬ଘଟିକା ସମୟରେ ସିଭିକ ସେଣ୍ଟରଠାରେ ଅନୁଷ୍ଠିତ ହେବ ବୋଲି ହୋଟେଲ୍ ଲୀଲାଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସିଆର୍‌ପିଏଫ୍‌ର ପ୍ରାକ୍ତନ ଡିଆଇଜି ଦୟାନିଧି ତନ୍ତୀ, ସାଧାରଣ ସମ୍ପାଦକ ଶଙ୍କର ଜେନା, ଟ୍ରଷ୍ଟି ଚନ୍ଦ୍ରଶେଖର ଶତପଥୀ, ବିମଳ କୁମାର ବିଶି ଓ କୋଷାଧ୍ୟକ୍ଷ ରୋହିତ କୁମାର ମହାନନ୍ଦିଆ ପ୍ରମୁଖ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ଚଳିତ ବର୍ଷ ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ତାରିଖ ଦିନ ପାଳନ କରାଯିବ । ଚଳିତ ବର୍ଷ ୬ ଜଣ ସହୀଦ ପରିବାରକୁ ସମ୍ମାନିତ କରିବା ସହ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଏହି ସହୀଦମାନେ ହେଲେ ଝାରସୁଗୁଡ଼ା ଲଖନପୁରର ଦୀପକସେନ ଭୋଇ, ବ୍ରଜରାଜନଗରର ବଳରାମ ପ୍ରଧାନ, ଲଇକେରାର ଉମାକାନ୍ତ ନାଏକ, ସୁନ୍ଦରଗଡ ଜିଲ୍ଲାର ବାଲିଶଙ୍କରାର ଅନୀଲ ମାଝୀ, କେଉଁଝରର ଗଣେଶ ପ୍ରସାଦ ସା ଓ ସଞ୍ଜୟ କୁମାର ଦାସ । ଉକ୍ତ ଦିନ ଫୁଲୱମା ସହୀଦ ଦିବସ ପାଳନ କରାଯାଉଥିବାରୁ ଟ୍ରଷ୍ଟ ତରଫରୁ ମାନବିକତା ଆଧାରିତ ଏହି କାର୍ଯ୍ୟକ୍ରମକୁ ତଥା ଓଡଶାକୁ ଗର୍ବିତ କରିଥିବା ସହିଦଙ୍କ ପରିବାରକୁ ସମ୍ମାନିତ କରାଯିବ । କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବ । ସୂଚନାଯୋଗ୍ୟ ଯେ ପ୍ରଥମ ବର୍ଷ ୧୩, ଦ୍ୱିତୀୟ ବର୍ଷ ୮ ଟି ସହୀଦ ପରିବାରକୁ ସମ୍ମାନିତ କରାଯାଇଥିଲା ବେଳେ ଚଳିତ ବର୍ଷ ୬ଟି ପରିବାରକୁ ସମ୍ମାନିତ କରାଯିବ । ଉଦାହରଣ ଟିମ୍ କେବଳ ସହିଦ ପରିବାରକୁ ସମ୍ମାନିତ କରେ ନାହିଁ ପରବର୍ତ୍ତୀ ସମୟରେ ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥାଏ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ, ସିଆଇଏସ୍‌ଏଫ୍‌ର ବରିଷ୍ଠ କମାଣ୍ଡାଣ୍ଟ ଅଶୋକ ଜାଲୱନିଆ ଓ ଓଏସ୍‌ଏପି ୪ର୍ଥ ବାଟାଲିୟନର ଦୁର୍ଗପତି ପ୍ରମୋଦ କୁମାର ଜେନା ପ୍ରମୁଖ ଯୋଗଦେବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ଏଣୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇ ସହୀଦ ପରିବାରଙ୍କୁ ଉତ୍ସାହିତ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସଦସ୍ୟ ସଞ୍ଜୟ ପ୍ରଧାନ, ଅଶ୍ୱିନୀ କୁମାର ଶାସନୀ, ରାଜେଶ ତନ୍ତୀ, ବିଶ୍ୱଜିତ ଜେନା ଓ କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.