ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : କେରଳର କୋଚିରେ ନୌସେନାରେ ପେଟି ଅଧିକାରୀ ଭାବେ କାର୍ଯ୍ୟରତ ଅନ୍ତର୍ଯ୍ୟାମୀ ବିଶ୍ଵାଳଙ୍କୁ ଲୋଇସିଂହା ରେଳ ଷ୍ଟେସନରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ନିଜ ସହପାଠୀ ବୃନ୍ଦ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଜନ୍ମମାଟିରେ ତାଙ୍କୁ ସ୍ୱାଗତ କରିଛନ୍ତି । ସୂଚନା ଅନୁଯାୟୀ, ପଡୋଶୀ ଆଗଲପୁର ବ୍ଲକ ଡୁମେରପାଲି ଗ୍ରାମର ଅନ୍ତର୍ଯ୍ୟାମୀ ବିଶ୍ଵାଳ ଗତ ୨୦୧୦ ଜାନୁୟାରୀ ୩୧ ତାରିଖରେ ଚିଲିକାରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ । ଜଣେ ଭାରତୀୟ ନୌସେନା ଭାବେ ଭାରତକୁ ସୁରକ୍ଷା ଦେବା ସହିତ ଦୀର୍ଘ ୧୫ ବର୍ଷ ଧରି ନିଜର ଦାୟିତ୍ଵ ତୁଳାଇଥିଲେ । ତେବେ ଚଳିତ ୨୦୨୫ ଜାନୁୟାରୀ ୩୧ ତାରିଖରେ କେରଳର କୋଚିରୁ ଅବସର ପାଇ ଆଜି ନିଜ ଜନ୍ମମାଟିକୁ ଫେରିଥିଲେ । ଆଜି ସକାଳେ ଇସ୍ପାତ ସୁପର ଫାଷ୍ଟ ଯୋଗେ ଲୋଇସିଂହା ରେଳ ଷ୍ଟେସନରେ ଓହ୍ଲାଇବା ପରେ ନିଜ ସହପାଠୀ, ଲୋଇସିଂହା ସୈନିକ କ୍ଲବ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସ୍ୱାଗତ କରାଯାଇ ତାଙ୍କ ଜନ୍ମିତ ଗାଁ ଡୁମେର ପାଲି ପର୍ଯ୍ୟନ୍ତ ପହଞ୍ଚାଇ ଥିଲେ । ଏଥିରେ ସହପାଠୀ ରୋଶନ, ସଂକ୍ଷିପ୍ତ, ପିଣ୍ଟୁ, ଶମ୍ଭୁ, ଦେବବ୍ରତ, ଶ୍ରୀବାସ, ବିକାଶ, କାଞ୍ଚନ, ଚତୁର୍ଭୁଜ, କାହ୍ନା, ଶ୍ରୀକାନ୍ତ, ବିଜୟ ପ୍ରମୁଖ ସାମିଲ ହୋଇ ଥିବା ବେଳେ ଲୋଇସିଂହା ସୈନିକ କ୍ଲବ ପକ୍ଷରୁ ଚତୁର ଦଳେଇ, ନଯୁ ଖାଁ ଓ ଆନନ୍ଦ ପଟେଲଙ୍କ ସମେତ ଯୁବନେତା ପ୍ରଦୀପ କୁମାର ସାହୁ ଯୋଗ ଦେଇ ଥିଲେ ।