ବାରିପଦା, (ଦେବସ୍ମିତ ଚୌଦୁରୀ) : ଭଞ୍ଜସେନାର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଦ୍ୱାରା ଦାଖଲ ହୋଇଥିବା ଏକ ସାର୍ବଜନିକ ହିତ ମକଦ୍ଦମା ଯାହା ଦ୍ୱାରସୁଣୀ ଘାଟର ଜୀର୍ଣ୍ଣଦଶା ଓ ଏହାର ପରିଣାମରେ ସାଧାରଣ ଲୋକଙ୍କ ଉପରେ ପଡ଼ୁଥିବା କଷ୍ଟ ନେଇଥିଲା, ଆଜି ମାନ୍ୟବର ଓଡିଶା ହାଇକୋର୍ଟ ଦ୍ୱାରା ଶୁଣାଣି କରାଯାଇଛି । ମାମଲା ଉପରେ ସମ୍ପୂର୍ଣ୍ଣ ବିଚାର କରି, ମାନ୍ୟବର ହାଇକୋର୍ଟ ଜାତୀୟ ରାଜପଥ ପ୍ରାଧିକରଣକୁ ବାଙ୍ଗିରିପୋଷିରୁ ବିଶୋଇ ପର୍ୟ୍ୟନ୍ତ ୧୭ କିମି ରାଜପଥର ମରାମତି ଓ ସଂପ୍ରସାରଣ କାମ ଆଗାମୀ ୨ ସପ୍ତାହର ମଧ୍ୟରେ ଆରମ୍ଭ କରିବାକୁ ଓ ଜବାବ ଶପଥପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପିଆଇଏଲକୁ ଭଞ୍ଜସେନା ପକ୍ଷରୁ ଆଇନଜୀବୀ ଆକାଶ ଶର୍ମା ତରଫରୁ ପରିଚାଳନା କରାଯାଇଛି । ଯେଉଁଥିରେ ସେ ଦ୍ୱାରସୁଣୀ ଘାଟିର ବିପର୍ୟ୍ୟସ୍ତ ଅବସ୍ଥା ଫଳରେ ଘଟୁଥିବା ଘନଘନ ଦୁର୍ଘଟନା ଓ ଲୋକମାନଙ୍କ ଅସୁବିଧା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣର ପ୍ରତି ଜରୁରୀ ତାକୁ ଉପସ୍ଥାପନା କରିଥିଲେ । ମାନ୍ୟବର ହାଇକୋର୍ଟଙ୍କ ଏହି ତୁରନ୍ତ ମରାମତି ନିର୍ଦ୍ଦେଶରେ ନିଶ୍ଚିତ ଭାବେ ଲୋକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯିବ, କାହିଁକିନା ଦୀର୍ଘ ଦିନ ଧରି ସେମାନେ ଏଭଳି ମରଣଯନ୍ତା ରାସ୍ତାରେ ଭୟାବହ ସ୍ଥିତିରେ ଯାତାୟାତ କରୁଥିଲେ । ଭଞ୍ଜସେନାର ନିରବଚ୍ଛିନ୍ନ ଆନ୍ଦୋଳନ ଫଳ ସ୍ୱରୂପ ପୂର୍ବରୁ ଦ୍ୱାରସୁଣୀ ଘାଟୀର ସଂମ୍ପ୍ରସାରଣ କାର୍ୟ୍ୟ ପାଇଁ ଟେଣ୍ଡର ଡକା ଯାଇଛି ।