ଡେଲାଙ୍ଗରେ ଜାତୀୟ ସଡ଼କ ସୁରକ୍ଷା ମାସ -୨୦୨୫ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ପୁରୀ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ଓ ରେଡକ୍ରସ୍ ୟୁନିଟ୍, ଗାଦିବ୍ରହ୍ମ ମହାବିଦ୍ୟାଳୟ, ଡେଲାଙ୍ଗର ମିଳିତ ଆନୁକୁଲ୍ୟରେ ” ଜାତୀୟ ସଡକ ସୁରକ୍ଷା ମାସ – ୨୦୨୫” ଉପଲକ୍ଷେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଐତିହ କକ୍ଷରେ ବୁଧବାର “ସଡକ ସୁରକ୍ଷା” ସଂପର୍କିତ ଏକ ଆଲୋଚନା ଚକ୍ର ସହିତ ମହାବିଦ୍ୟାଳୟ ଠାରୁ ଡେଲାଙ୍ଗ ହାଟ ବାୟା ବଜାର ପର୍ଯ୍ୟନ୍ତରେ ଏକ ସଡକ ସୁରକ୍ଷା ସଚେତନତା ରାଲି ସଂଗଠିତ ହୋଇଥିଲା । ରାସ୍ତାରେ ଛାତ୍ରଛାତ୍ରୀ, ପୋଲିସ ଅଧିକାରୀ ଓ ପୁରୀ ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟର ଅଧିକାରୀମାନେ ରାସ୍ତାରେ ଗାଡି ଚାଳକମାନଙ୍କ ସଚେତନ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ସରୋଜ କୁମାର ପଣ୍ଡା ସଭାପତିତ୍ୱ କରିଥିବା ବେଳେ ପୁରୀ ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ମୁଖ୍ୟ ଅତିଥି, ଗାଦିବ୍ରହ୍ମ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଯୁଧିଷ୍ଠିର ଘଟୁଆରୀ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସଡକ ସୁରକ୍ଷା ସପ୍ତାହ ପାଳନର ଗୁରୁତ୍ୱ ଓ ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟର ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ତ୍ରିନାଥ ପରିଡା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ସହ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା କବିତା ସେନାପତି, ଡଃ. ଭବାନୀ ପ୍ରୀୟଦର୍ଶିନି ମହାନ୍ତି, କବିତା ମିଶ୍ର, ସହକାରୀ ଗ୍ରନ୍ଥାଗାରିକ ଦାଶରଥି ବଳବନ୍ତରାୟ ଓ ସମସ୍ତ କର୍ମଚାରୀ ସହଯୋଗ କରିବା ସହିତ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଗାଦିବ୍ରହ୍ମ ମହାବିଦ୍ୟାଳୟ, କଲ୍ୟାଣପୁର ଡିଗ୍ରୀ ମହାବିଦ୍ୟାଳୟ, ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲ୍ୟାଣପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୯୦ଜଣ ରେଡକ୍ରସ୍ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.