ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଭାଗୃହରେ ଶନିବାର ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେରଙ୍କ ଅନୁପସ୍ଥିତିରେ ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ବିଏସ୍ଏସ୍ଓ ରିଙ୍କୁ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସାଧାରଣତନ୍ତ୍ର ଦିବସକୁ ମହାଆଡମ୍ବର ସହକାରେ ପାଳନ କରିବା ପାଇଁ ବିସ୍ତୃତ ରୂପେ ଆଲୋଚନା କରାଯାଇଥିଲା । ଏଥିରେ ବ୍ଲକସ୍ତରୀୟ ଜାତୀୟ ଦିବସ ପାଳନ କମିଟିର ଅଧ୍ୟକ୍ଷ ରୂପେ ବ୍ଲକ ଅଧ୍ୟକ୍ଷ, ଭାରପ୍ରାପ୍ତ ଅଧ୍ୟକ୍ଷ ରୂପେ ବିଡ଼ିଓ, ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ସମ୍ପାଦକ ଅଗସ୍ତି ବଘାର, କୋଷାଧ୍ୟକ୍ଷ ବିଏସ୍ଏସ୍ଓ, ଉପକୋଷାଧ୍ୟକ୍ଷ ବନବିହାରୀ ଯୋଶୀ ଥିବା ବେଳେ କମିଟିରେ ବରିଷ୍ଠ ସାମ୍ବାଦିକ ଦୁର୍ଗାନନ୍ଦ ମହାକୁର ଓ ସମାଜସେବୀ ପ୍ରଫୁଲ୍ଲ ବଘାରଙ୍କୁ ସାମିଲ କରାଯାଇଥିଲା । ଅର୍ଥ କମିଟି, ପ୍ରତିଯୋଗିତା କମିଟି, ପଡିଆ ସାଜସଜ୍ଜା କମିଟି ଓ ସାଂସ୍କୃତିକ କମିଟି ଆଦିକୁ ପରିବର୍ଦ୍ଧିତ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଦିନ ସକାଳୁ ପ୍ରଭାତ ଫେରି, ରାମଧୁନ ଗାନ, ନିଜ ନିଜ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ପରେ ପଂଚାୟତ ହାଇସ୍କୁଲ ଖେଳ ପଡିଆରେ ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଅତିଥିଙ୍କ ଦ୍ଵାରା ସମବେତ ପ୍ୟାରେଡ ଅଭିବାଦନ ଗ୍ରହଣ କରିସାରିବା ପରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଶେଷରେ ଗୃପ ଆକାରରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ତହସିଲଦାର ଖଦାଳ ପାତ୍ର, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ଜିପିଡିଓ ଗଙ୍ଗାଧର ଛତର,ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଭାରପ୍ରାପ୍ତ ସିଡ଼ିପିଓ କୁନି ନାୟକ, ଦମକଳ ବିଭାଗ ଓଆଇସି ଅମ୍ବରିଶ ପ୍ରଧାନ,ବିଦ୍ୟୁତ୍ ବିଭାଗରୁ ଜେଇ ମହମ୍ମଦ ଯୁନୈଦ୍, ଫରେଷ୍ଟର ପୁଷ୍ପାଞ୍ଜଳୀ ଯୋଶୀ, ମୁଖ୍ୟ କିରାଣୀ ପ୍ରଦୀପ ପୁଟେଲ, ସାଧୁରାମ ପାଣିଗ୍ରାହୀ, ଉଦ୍ୟାନ ବିଭାଗରୁ ଓଭରସିଅର ରଘୁମଣି ପୁଟେଲ, ବିକାଶ ମଞ୍ଚ ସଭାପତି ଫାଲଗୁନି ହାତୀ, ଅଗସ୍ତି ବଘାର, ରାଜ ସିଂ ବାବୁ, ରୁପେଶ ଷାଣ୍ଡଙ୍କ ସହ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ପିଇଓ, ଏଡିଇଓ, ବିଭିନ୍ନ ବିଭାଗୀୟ ଅଧିକାରୀ, ଖେଳ ଶିକ୍ଷକ, ବହୁ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବ୍ଲକର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଇଇ ଅବିନାଶ ମୁଦି ଧନ୍ୟବାଦ ଦେଇଥିଲେ ।