ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟରେ ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

  • ଜହ୍ନମାମୁ ଏବେ ହାତ ପାହାନ୍ତାରେ : ସନ୍ତୋଷ କର

ମ.ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା, ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ଦିନ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ସଭାପତିତ୍ୱରେ ୪୨ତମ ବାର୍ଷିକ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ, ମୁଖ୍ୟବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ବରେଣ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ସସ୍ମିତା ନାଗ, ସ୍କୁଲ ପ୍ରତିଷ୍ଠାତା ତଥା ଶିକ୍ଷାବିତ ଘନଶ୍ୟାମ ବଗର୍ତ୍ତୀ, ପିତାମ୍ବର ନାଗ, ଖଗେଶ୍ୱର ରଣା, ଦିବାକର ସାହୁ, ମୋ’ ସ୍କୁଲ ସଭାପତି ପଞ୍ଚୁଦେବ ସାହୁ, ଶିକ୍ଷକ ଚୁଡାମଣି ରଣା, ବୁଦ୍ଧିଜୀବୀ ବିଜୟ ପଧାନ, ଯୁଗେଶ୍ୱର ବାରିକ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି, ବିଦ୍ୟାଳୟର ଭୂମିକା ଓ ଭବିଷ୍ୟତ ଜୀବନ ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଶ୍ରୀ କର ପିଲାବେଳର ଗୀତ ଆ ଜହ୍ନ ମାମୁ ସରଗ ଶଶୀ ଏବେ ସେ ଜହ୍ନ ମାମୁ ଏବେ ଆମ ହାତ ପାହାନ୍ତାରେ ଅର୍ଥାତ ଏବେ ବିଜ୍ଞାନର ଅଗ୍ରଗତି ସହିତ ଆମେ ବି ଆଗକୁ ବଢିବାକୁ ହେବ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ମାଳବିକା ଦେବୀ ଉକ୍ତ ହାଇସ୍କୁଲର ପରିବେଶ ଓ ରିଜଲ୍ଟ ଉପରେ ଖୁସି ହେବା ସହ ଆଗାମୀ ଦିନରେ +୨ କଲେଜ ଏଠି ନିଶ୍ଚିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୨ ଗୋଟି ଖୁଦ୍ର ନାଟକ (ବାପା ଏବଂ ସନ୍ତୋଷ ହିଁ ଧନ) ଖୁବ ଆକର୍ଷଣୀୟ ଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ ମନଛୁଆଁ ଥିଲା । ଓଡିଶା ପ୍ରଶାସନିକ ସେବାରେ ସୁଯୋଗ ପାଇଥିବା ପୁରାତନ ଛାତ୍ରୀ ବିଜୟଲକ୍ଷ୍ମୀ ନାଗଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିବା ସହିତ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ବାର୍ଷିକୀ ବିବରଣୀ ପ୍ରଧାନ ଶିକ୍ଷୟିତ୍ରୀ ପଠନ କରିଥିବା ବେଳେ ଶିକ୍ଷକ ଅଶୋକ ବିଶ୍ୱାଲ ମଞ୍ଚ ପରିଚାଳନା ଓ ବେଣୁଧର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ସହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.