ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା, ସିଙ୍ଗାରି ଓ ପାର୍ଶାଲି ପଞ୍ଚାୟତର ନିୟମଗିରି ପାହାଡକୁ କରାଯାଇଥିବା ରାସ୍ତା ମରଣ ଯନ୍ତା ପାଲଟିଥିବା ଦେଖିବାକୁ ମିଳିଛି । କଲ୍ୟାଣସିଂହପୁର ଠାରୁ କଳାହାଣ୍ଡି ସୀମାନ୍ତ ପର୍ଯ୍ୟନ୍ତ (ପିଡବ୍ଲୁ) ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି । ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଛକ ବା ମୁଖ୍ୟରାସ୍ତା ଠାରୁ ସିଙ୍ଗାରି ପଞ୍ଚାୟତର ମେଲୁକୁ ଜବା, ନାରିଙ୍ଗିତୋଳା ଦେଇ ପାର୍ଶାଲି ପଞ୍ଚାୟତର ବୁଡୁଣୀ ଠାରୁ ନିୟମଗିରି ପାହାଡକୁ (ଆର୍ଡି) ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଥିଲା । ଉକ୍ତ ରାସ୍ତାଟି ୯ କୋଟି ୬୮ଲକ୍ଷ ଅଟକଳ ମୂଲ୍ୟରେ ୨୦୧୭ ମସିହାରେ ଆରମ୍ଭ କରି ୨୦୧୮ରେ ରାସ୍ତା କାର୍ଯ୍ୟ ଶେଷ ହୋଇଛି । ଏହାର ୫ ବର୍ଷ ପରେ ୨୦୨୩ ମସିହାରେ ୪୧.୩୩ ଲକ୍ଷ ଅଟକଳ ମୂଲ୍ୟରେ ରକ୍ଷଣାବେକ୍ଷଣ କରିବାର ସୂଚନା ଫଳକରେ ଉଲ୍ଲେଖ କରିଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କରାଯାଇ ନାହିଁ । ଉକ୍ତ ରାସ୍ତାରେ ଭାରି ଯାନ ନ ଯାଉଣୁ ରାସ୍ତା କେଉଁଠି ଦବି ଯାଇଛି ତ ଆଉ କେଉଁଠି ବଜ୍ରୀ, ମେଟାଲ ବାହାରି ପଡିଛି । ଏହି ରାସ୍ତାରେ ନିୟମଗିରି ଡଙ୍ଗରିଆ ଲୋକମାନେ ଯାତାୟତ ବେଳେ ବାଇକରେ ପଡି ଖଣ୍ଡିଆ ଖାବରା ହେଉଥିବା ନଜରକୁ ଆସୁଛି । ଆଉ କେତେ ଲୋକ ନିଜେ ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁ ମୁଖରୁ ବଞ୍ଚି ଥିବା ସରପଞ୍ଚ ବାମ କହିଛନ୍ତି । ତେଣୁ ଉକ୍ତ ରାସ୍ତାକୁ ତୁରନ୍ତ ପ୍ରଶାସନ ଦୃଷ୍ଟି ଦେଇ ମରାମତି କରିବା ପାଇଁ ନିୟମଗିରିବାସୀ ଓ ସାଧାରଣ ଲୋକମାନେ ଦାବି କରିଛନ୍ତି । ଉକ୍ତ ରାସ୍ତାରେ ଗୁଣ୍ଡୁରୀଗୁଡା କଲ୍ୟାଣୀ ପୋଲ ଠାରୁ କଅଁରଗୁଡା ଦେଇ ନାରିଙ୍ଗିତୋଳା ଗ୍ରାମକୁ ସଂଯୋଗ କରୁଥିବା ୪ କି.ମି. ୫୦୦ ମିଟର ରାସ୍ତାର ଅବସ୍ଥା ମଧ୍ୟ ସେହିପରି ରହିଛି । ୨କୋଟି ୧୮ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ୨୦୧୭ ମସିହାରେ ଆରମ୍ଭ କରି ୨୦୧୮ ମସିହାରେ ଶେଷ ହୋଇଛି । ୫ ବର୍ଷ ପରେ ଉକ୍ତ ରାସ୍ତାର ରକ୍ଷଣାବେକ୍ଷଣ କରିବା ପାଇଁ ସୂଚନା ଫଳକରେ ଉଲ୍ଲେଖ ରହିଛି କିନ୍ତୁ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ମରାମତି କରାଯାଉ ନଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଗ୍ରାମ୍ୟ ଉନ୍ନୟନ ବିଭାଗ ଦୃଷ୍ଟି ଦେଇ ତୁରନ୍ତ ରାସ୍ତାର ରକ୍ଷଣାବେକ୍ଷଣ କରିବା ପାଇଁ ଡଙ୍ଗରିଆ କନ୍ଧ ମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ଜେଇ ରମେଶ ନାଏକଙ୍କୁ ପଚାରିବାରୁ ସରକାରଙ୍କୁ ଜଣାଇଛୁ, ଟଙ୍କା ଆସିଲେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ।