ଟିଟିଲାଗଡ଼, (କେପିଏନ୍ଏସ୍) : ସାରସ୍ୱତ ଚେତନାର ବାର୍ତ୍ତାବହ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଟିଟିଲାଗଡ଼ ପକ୍ଷରୁ ମକର ମିଳନ ଓ ଫକିର ମୋହନଙ୍କ ଜୟନ୍ତୀ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ଜ୍ୟୋତି ପ୍ରକାଶ ଗଡତ୍ୟା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ପ୍ରବୀର କୁମାର ପଣ୍ଡା ଓ ମୁଖ୍ୟୟବକ୍ତା ଭାବରେ ଡ଼ଃ. ଅଖିଳ ବିଶ୍ୱାଳ ଯୋଗଦେଇଥିଲେ । ଫକିର ମୋହନଙ୍କ ସୃଷ୍ଟି ସମଗ୍ରକୁ ପରିକ୍ରମା କରିବା ପୂର୍ବକ ସେ ଲଛମା, ମାମୁଁ, ଛ ମାଣ ଆଠଗୁଣ୍ଠ ଓ ପ୍ରାୟଶ୍ଚିତ ଉପନ୍ୟାସକୁ ୪ଟି ଶାସନ କାଳର ସମାଜ ତଥା ସଂସ୍କୃତିର ଚିତ୍ରକୁ ପ୍ରତିନିଧିତ୍ଵ କରେ ବୋଲି ମୁଖ୍ୟବକ୍ତା ଉଲ୍ଲେଖ କରିଥିଲେ । ରେବତୀ ଗଳ୍ପକୁ ଅବଲମ୍ବନ କରି ତତ୍କାଳୀନ ଶିକ୍ଷା ବ୍ୟବସ୍ଥାରେ ନାରୀଶିକ୍ଷାର ସ୍ଥାନ କିପରି ଥିଲା ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଦର୍ଶାଇ ଥିଲେ । ଏହି କ୍ରମରେ ଲେଖକ ସେବକ ଚରଣ ଦାଶଙ୍କ ଇଂରାଜୀ ପୁସ୍ତକ ‘ଲୋଟସ ପେଟାଲ’ ଓ ନଟବର ସ୍ୱାଇଁଙ୍କ ‘ ନାଏବ ସରପଞ୍ଚ’ ଉନ୍ମୋଚିତ ହୋଇଥିଲା । ଅନୁଷ୍ଠାନର ବରିଷ୍ଠ ସଭ୍ୟ ରାଜୀବ ଲୋଚନ ପାଢ଼ୀ ସ୍ୱାଗତ ସଂଭାଷଣ ଦେଇଥିଲେ ଏବଂ ଜଗନ୍ନାଥ ପଣ୍ଡା ‘ଲୋଟସ ପେଟାଲ’ର ସମିକ୍ଷା କରିଥିଲେ । ସଭ୍ୟ ବ୍ରହ୍ମାନନ୍ଦ ପୁହାଣ ସଭା ପରିଚାଳନା କରିଥିବା ବେଳେ ବନମାଳୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଉପସ୍ଥିତ ଶ୍ରୋତାମାନଙ୍କୁ ମକର ଚାଉଳରେ ଆପ୍ୟାୟିତ କରାଯାଇଥିଲା । ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଆଚାର୍ଯ୍ୟ, ଆଚାର୍ଯ୍ୟା ଭାଇ ଭଉଣୀ କାର୍ଯ୍ୟକ୍ରମକୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ ।