ହାପି ମୋମେଣ୍ଟସର ପ୍ରତିଭା ଖୋଜ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ୍‌ ଅଫ୍ ଇଣ୍ଡିଆର ପ୍ରତିଭା ଖୋଜ ‘ଟ୍ୟାଲେଣ୍ଟ ଯୋ ବଦଲ ଦେ ଦୁନିଆ’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମ ସେକ୍ଟର ୯ ସ୍ଥିତ କ୍ରିଷ୍ଣା ବିକାଶ ଇଣ୍ଡୋ ଗ୍ଲୋବାଲ ସ୍କୁଲରେ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚିତ୍ରାଙ୍କନ, ହସ୍ତାକ୍ଷର, ରାଇମସ୍‌, ଗଳ୍ପ ପଠନ, ବାଦ୍ୟଯନ୍ତ୍ର, କୌତୁକ ପୋଷାକ, ନୃତ୍ୟ, ସଂଗୀତ, ମଡେଲିଂ ଆଦି ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତା ଗୁଡିକୁ ବିଚାରକ ଭାବେ ଗ୍ରେସୀ ଡେଭିଡ, ସୁଧା ପାଣ୍ଡେ, ସିଦ୍ଧାର୍ଥ ଦୀପ, ଶିବାନୀ ଥାପଡ଼, ଦୀପକ ଚାଟାର୍ଜୀ, ରୋବେର୍ଟ ହାଇଫିଲ୍, ଅଜୟ ତାଣ୍ଡିଆ, ଦୀପକ ଜେନା ପ୍ରମୁଖ ପିଲା ମାନଙ୍କ ପ୍ରତିଭାକୁ ମୂଲ୍ୟାଙ୍କନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ପଣ୍ଡା ଓ ଟ୍ରଷ୍ଟି ରଶ୍ମିତା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉଦ୍‌ଯାପନୀ ତଥା ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ମହିଳା ବିଭାଗର ମୁଖ୍ୟ ଗ୍ରେସୀ ଡେଭିଡ ସ୍ୱାଗତ ଅଭିଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ସ୍କୁଲର ଅଧ୍ୟକ୍ଷ ଡ଼ଃ ମନୋଜ ତ୍ରିପାଠୀ, ମନୋଜ ଆଚାର୍ଯ୍ୟ, ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଂଶସା କରିବା ସହ ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି ମତ ରଖିଥିଲେ । ଅତିଥି ମାନେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଅନୁଷ୍ଠାନ ବରିଷ୍ଠ ସଦସ୍ୟ ସସ୍ମିତା ପ୍ରଧାନ, ସୁଶାନ୍ତ ନାୟକ, ମାନସୀ ଘୋଷ, ରଞ୍ଜନ ସାହୁ, ଦେବୀକା ଘୋଷ, ଇସିକା ଘୋଷ ଓ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀ ମାନେ ଏ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ପ୍ରତିଷ୍ଠାତା ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.