sss
lll

ବର୍ଷ ଶେଷ ସମୀକ୍ଷା ୨୦୨୪ : ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ପିଆଇବି) : ୨୦୨୪ରେ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ପକ୍ଷରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଥିଲା । ଅସଂଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ କଲ୍ୟାଣ ପାଇଁ ସରକାର ୨୪ ଅକ୍ଟୋବର ୨୦୨୪ରେ ‘ଇ-ଶ୍ରମ’ ଆରମ୍ଭ କରିଥିଲେ । ଏହା ଦ୍‌ଦ୍ୱାରା ଅସଂଗଠିତ କ୍ଷେତ୍ରର କର୍ମଚାରୀମାନେ ୧୨ଟି ସାମାଜିକ ସୁରକ୍ଷା ଓ କଲ୍ୟାଣକାରୀ ସ୍କିମର ଲାଭ ପାଇପାରୁଛନ୍ତି । ଇତି ମଧ୍ୟରେ ଇ-ଶ୍ରମ ପଂଜୀକରଣ ସଂଖ୍ୟା ୩୦ କୋଟି ଟପିଯାଇଛି । ଅନ୍ୟପଟେ ମାନ୍ୟବର ପ୍ରଧାନମନ୍ତ୍ରୀ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସଆଇସି) ଅଧୀନରେ ୩୯୨୧ କୋଟି ଟଙ୍କା ମୂଲ୍ୟର ୨୮ଟି ପ୍ରମୁଖ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ଏବଂ ଲୋକାର୍ପଣ କରିଥିଲେ । ଚଳିତ ବର୍ଷ ଇଏସଆଇସି ଦେଶରେ ଆଉ ୧୦ଟି ଇଏସଆଇସି ମେଡିକାଲ କଲେଜ୍ ପ୍ରତିଷ୍ଠା ଲାଗି ନୀତିଗତ ମଂଜୁରୀ ପ୍ରଦାନ କରିଛି । ସରକାରୀ ଚାକିରି ହେଉ ବା ଘରୋଇ, ସବୁ ପ୍ରକାରର କ୍ୟାରିୟର ସଂପର୍କିତ ସୂଚନା ପାଇଁ ଏକକ ପ୍ଲାଟଫର୍ମ ପାଲଟିଛି ଜାତୀୟ କ୍ୟାରିୟର ସେବା ବା ଏନ୍‌ସିଏସ୍‌ । ୧ ଜାନୁଆରିରୁ ୧୫ ଡିସେମ୍ବର ୨୦୨୪ ସୁଦ୍ଧା ଏନସିଏସ ପୋର୍ଟାଲରେ ପ୍ରାୟ ୧,୮୯,୩୩,୨୧୯ଟି ନିଯୁକ୍ତି ସଂପର୍କିତ ସୂଚନା ପ୍ରକାଶ କରାଯାଇଥିଲା । ଏହାକୁ ମିଶାଇ ଆରମ୍ଭ ହେବାପରଠାରୁ ଏନସିଏସ ପୋର୍ଟାଲରେ ମୋଟ ପ୍ରାୟ ୩.୮୯ କୋଟି ନିଯୁକ୍ତି ପ୍ରକାଶିତ ହୋଇଛି । ରାଜ୍ୟ ଗୁଡ଼ିକର ବିଓସିଡବ୍ଲ୍ୟୁ କଲ୍ୟାଣ ବୋର୍ଡରୁ ପ୍ରାପ୍ତ ତଥ୍ୟର ସଂକଳନ ଏବଂ ବିଶ୍ଳେଷଣ ପାଇଁ ୨୧ ଅଗଷ୍ଟ ୨୦୨୪ରେ କେନ୍ଦ୍ରୀୟ ଡାଟା ପରିଚାଳନା ବ୍ୟବସ୍ଥା ଲାଗି କୋଠା ଏବଂ ଅନ୍ୟ ନିର୍ମାଣ ଶ୍ରମିକ ଏମଆଇଏସ ପୋର୍ଟାଲ ଆରମ୍ଭ କରାଯାଇଥିଲା । ଅନ୍ୟପକ୍ଷରେ ଉଠାଣ ପ୍ରକ୍ରିୟାକୁ ସରଳ କରିବାକୁ ଇପିଏଫଓ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଏସବୁ ମଧ୍ୟରେ ରହିଛି ସିପିପିଏସ ଓ ଅଟୋ କ୍ଲେମ ସେଟଲମେଣ୍ଟ ପାଇଁ ବର୍ଦ୍ଧିତ ସୀମା । ଆହୁରିମଧ୍ୟ, ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ଏକ କେନ୍ଦ୍ରୀୟ ପେନସନ ପ୍ରଦାନ ବ୍ୟବସ୍ଥାକୁ ମଂଜୁରୀ ଦେଇଛି । ଏହା ଫଳରେ ଇପିଏଫ ପେନସନଧାରୀ ମାନେ ଜାନୁଆରି ୨୦୨୫ରୁ ସାରା ଭାରତର ଯେକୌଣସି ବ୍ୟାଙ୍କର ଯେକୌଣସି ଶାଖାରୁ ପେନସନ ଉଠାଇପାରିବେ । ଶ୍ରମ ଆଇନ ଅଧିନସ୍ଥ ୪ଟି ଆଇନକୁ ପରସ୍ପରର ଅନୁକୂଳ କରିବାକୁ କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଉଦ୍ୟମ କରୁଛି । ପରିସରରେ ନିୟମ ପ୍ରଣୟନକୁ ସୁବିଧାଜନକ କରିବାକୁ ୨୦୨୪ର ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନଙ୍କ ୬ଟି ଆଞ୍ଚଳିକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଗିଗ୍ ଏବଂ ପ୍ଲାଟଫର୍ମ କର୍ମୀମାନଙ୍କୁ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ଫ୍ରେମୱାର୍କର ବିକାଶ ଦିଗରେ କାର୍ଯ୍ୟ କରୁଛି । ଏବର୍ଷ ଅନ୍ତର୍ଜାତୀୟ ଶ୍ରମ ସଂଗଠନ ପକ୍ଷରୁ ପ୍ରକାଶିତ ସାମାଜିକ ସୁରକ୍ଷା ରିପୋର୍ଟ ୨୦୨୪ – ୨୬ରେ ଭାରତର ପ୍ରସଂଶା କରି କୁହାଯାଇଛି ଯେ ଭାରତ ସାମାଜିକ ସୁରକ୍ଷା କଭରେଜକୁ ଦ୍ୱିଗୁଣିତ କରିଛି । ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର ଟାର୍ଗେଟେଡ୍ ସାଧାରଣ ବଣ୍ଟନ ବ୍ୟବସ୍ଥା ବିଶ୍ୱର ସର୍ବବୃହତ ଆଇନଗତ ବାଧ୍ୟତାମୂଳକ ସାମାଜିକ ସହାୟତା ଯୋଜନା ମଧ୍ୟରୁ ଅନ୍ୟତମ ଯାହାକି ପ୍ରାୟ ୮୦୦ ନିୟୁତ ଲୋକଙ୍କୁ ଖାଦ୍ୟ ନିରାପତ୍ତା ପ୍ରଦାନ କରୁଛି ।
ଅନ୍ୟପକ୍ଷରେ, ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବା, ଅନୁଷ୍ଠାନୀକରଣକୁ ପ୍ରେତ୍ସାହନ ଦେବା ଏବଂ ନିଯୁକ୍ତି ଯୋଗ୍ୟତାରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ବଜେଟ ୨୦୨୪ – ୨୫ରେ ଇଏଲଆଇ ସ୍କିମ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.