- କୁର୍ରିଚୁଆଁ କ୍ରିକେଟ କ୍ଲବ ଚମ୍ପିଆନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲପାଲି ଗ୍ରାମରେ ବିସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ସପ୍ତମ ଗୋବର୍ଦ୍ଧନ ଓ ମଗସିର୍ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳ ପଡିଆଠାରେ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଆବାହକ ସୁରେଶ ରାମ ଚନ୍ଦାନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଜେପି ଯୁବନେତା ପ୍ରିତେଶ ବହିଦାର, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅନିତା ଭୋଇ, ଯୁବନେତା ଟୁନା ଦଣ୍ଣ୍ଡସେନା, ବିଜ୍ଞାନ ଭାରତୀ ଯୁଗ୍ମ ସମ୍ପାଦକ ଦିବ୍ୟ କିଶୋର ପଣ୍ଡା, ଗୁଣମଣି ପଟେଲ, ସ୍ୱରୂପ କାନୁନଗୋ ଯୋଗ ଦେଇଥିଲେ । ସେମି ଫାଇନାଲ ମ୍ୟାଚ ନାଗେନମାଲ, କୁର୍ରିଚୁଆଁ, ଭଗତପୁର, କଂସର ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ଭଗତପୁର ଓ କୁର୍ରିଚୁଆଁ ଦଳ ଫାଇନାଲ ମ୍ୟାଚ୍କୁ ଉନ୍ନୀତ ହୋଇଥିଲେ । ଫାଇନାଲ ମ୍ୟାଚ୍ରେ ଭଗତପୁର ଦଳ ୮ ଓଭରରେ ମୋଟ ୨୯ ରନ୍ ଦେଇଥିବା ବେଳେ କୁର୍ରିଚୁଆଁ କ୍ରିକେଟ କ୍ଲବ ୭ ୱିକେଟ ହରାଇ ମୋଟ ୨୯ ରନ୍ କରିବାରେ ସଫଳ ହୋଇଥିଲା ଓ ବିଜୟୀ ଲାଭ କରିଥିଲା । ପରିଶେଷରେ ବିଜେତା ଦଳକୁ ଟ୍ରଫି ସହ ୧୮ ହଜାର ଟଙ୍କା ରନର୍ସଅପ୍ ଦଳ ପାଇଁ ଟ୍ରଫି ସହ ୧୨ ହଜାର ଟଙ୍କାର ପୁରସ୍କାର ରାଶି ଓ ମ୍ୟାନ୍ ଅଫ୍ ଦ ମ୍ୟାଚ୍ କୁର୍ରିଚୁଆଁର ଉତ୍ତମ ନେଗୀ, ମ୍ୟାନ୍ ଅଫ୍ ଦ ସିରିଜ୍ ଭଗତପୁରର ଭେଙ୍କଟେଶ ମର୍ହିଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ବିସିସି କ୍ରିକେଟ ଟିମ୍ର ସମସ୍ତ ସଦସ୍ୟ ଓ ମହୁଲପାଲି ଗ୍ରାମବାସୀଙ୍କ ସହଯୋଗରେ ଟୁର୍ଣ୍ଣାମେଣ୍ଟଟି ସଫଳ ହୋଇଥିଲା ।