jayashree

ଛତିଶଗଡ଼ର ଜଗଦଲପୁର ସ୍ଥିତ ସହିଦ ସ୍ମାରକରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନକ୍ସଲ ହିଂସାରେ ସହିଦ ଯବାନ ଓ ମୃତକଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

  • ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ ପରେ ମା’ ଦାନ୍ତେଶ୍ୱରୀଙ୍କ ପବିତ୍ର ଭୂମିରେ ନକ୍ସଲବାଦ ନାଁରେ ଗୋଟିଏ ବୁନ୍ଦା ବି ରକ୍ତ ବହିବ ନାହିଁ
  • ଅମର ସହିଦ ସ୍ମାରକ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦମାନଙ୍କୁ ସମ୍ମାନିତ କରିବା ସହ ଭବିଷ୍ୟତ ପିଢ଼ିକୁ ଅନ୍ୟମାନଙ୍କ କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିବାକୁ ପ୍ରେରଣା ଦେବ
  • ନକ୍ସଲ ହିଂସାରେ କ୍ଷତିଗ୍ରସ୍ତ ପରିବାରକୁ ସହାୟତା କରିବାକୁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ
  • ନକ୍ସଲ ହିଂସାରେ କେହି ଯେପରି ନିଜ ପ୍ରିୟଜନଙ୍କୁ ନହରାଇବେ ସେଥିପାଇଁ ଛତିଶଗଡ଼ ସରକାର ନିର୍ଣ୍ଣାୟକ ଭାବେ କାର୍ଯ୍ୟ କରୁଛନ୍ତି
  • ଆତ୍ମସମର୍ପଣ କରୁଥିବା ଲୋକଙ୍କୁ ସ୍ୱାଗତ କରିବା, ହିଂସା ଜାରି ରଖିଥିବା ଲୋକଙ୍କୁ ଧରିବା ଏବଂ ନିରୀହ ଜୀବନକୁ କ୍ଷତି ପହଞ୍ଚାଉଥିବା ନକ୍ସଲଙ୍କୁ ଦଣ୍ଡ ଦେବା ଭଳି ତିନୋଟି ପ୍ରମୁଖ ଦିଗ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି
  • ଛତିଶଗଡ଼ ସରକାର ନିଜର ପ୍ରଥମ ବର୍ଷରେ ଉଲ୍ଲେଖନୀୟ ଅଗ୍ରଗତି କରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ସର୍ବାଧିକ ହ୍ରାସ ହାସଲ କରିଛନ୍ତି, ନକ୍ସଲଙ୍କୁ ନ୍ୟୁଟ୍ରାଲାଇଜ କରିଛନ୍ତି ଏବଂ ଅନେକ ଆତ୍ମସମର୍ପଣ କିମ୍ବା ଗିରଫ ହୋଇଛନ୍ତି
  • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଛତିଶଗଡ଼ ସରକାର ନକ୍ସଲ ପ୍ରଭାବିତ ଗ୍ରାମ ଏବଂ ସମ୍ପ୍ରଦାୟର କଲ୍ୟାଣ ପାଇଁ ପର୍ଯ୍ୟାୟକ୍ରମେ ଯୋଜନା କାର୍ଯ୍ୟକାରୀ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର ଜଗଦଲପୁରଠାରେ ନକ୍ସଲବାଦ ବିରୋଧରେ ଲଢ଼େଇ କରି ସହିଦ ହୋଇଥିବା ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ସହିଦ ଯବାନଙ୍କ ପରିବାର ଏବଂ ନକ୍ସଲ ହିଂସାରେ ପୀଡ଼ିତଙ୍କ ପରିବାରକୁ ମଧ୍ୟ ଭେଟିଥିଲେ । ଏହି ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ଅଭିଭାଷଣରେ ନକ୍ସଲବାଦ ବିରୋଧରେ ସାହସିକ ସଂଗ୍ରାମରେ ସର୍ବୋଚ୍ଚ ବଳିଦାନ ଦେଇଥିବା ୧୩୯୯ ସହିଦଙ୍କୁ ସମ୍ମାନ ଜଣାଇ ଏକ ସ୍ମାରକୀ ପ୍ରତିଷ୍ଠା କରିଥିବାରୁ ଛତିଶଗଡ଼ ସରକାରଙ୍କୁ ପ୍ରଶଂସା କରିଥିଲେ । ଏହି ସ୍ମାରକୀ କେବଳ ଏହି ବୀରମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ନାହିଁ ବରଂ ଭବିଷ୍ୟତ ପିଢ଼ିକୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଶ୍ରୀ ଶାହ ଆଲୋକପାତ କରି କହିଥିଲେ ଯେ, ଗତ ବର୍ଷ ଗଠନ ପରଠାରୁ ବର୍ତ୍ତମାନର ଛତିଶଗଡ଼ ସରକାର ନକ୍ସଲବାଦର ମୂଳୋତ୍ପାଟନ ପାଇଁ ନିଜର ପ୍ରତିବଦ୍ଧତାରେ ଅଟଳ ରହିଛନ୍ତି । ନିରୀହ ଲୋକଙ୍କ ଜୀବନ ହାନିକୁ ରୋକିବା ପାଇଁ ଏହି ବିପଦକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯିବା ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ଏହି ଲକ୍ଷ୍ୟ ହାସଲ ପାଇଁ ସରକାର ଏକ ବ୍ୟାପକ ତ୍ରିମୁଖୀ ରଣନୀତି ଆପଣାଉଛନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି । ପ୍ରଥମତଃ ହିଂସା ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଚାହୁଁଥିବା ଲୋକଙ୍କୁ ସ୍ୱାଗତ କରାଯାଉଛି । ଦ୍ୱିତୀୟତଃ ଯେଉଁମାନେ ହିଂସାର ରାସ୍ତା ଛାଡିବାକୁ ଚାହୁଁନାହାନ୍ତି ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଜୋରଦାର କରାଯାଉଛି । ଶେଷରେ, ଅନ୍ୟକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୃହମନ୍ତ୍ରୀ ଏ ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବର୍ଷକ ମଧ୍ୟରେ ୨୮୭ ନକ୍ସଲ ନ୍ୟୁଟ୍ରାଲାଇଜ ହୋଇଛନ୍ତି, ପାଖାପାଖି ୧୦୦୦ ଗିରଫ ହୋଇଛନ୍ତି ଏବଂ ଛତିଶଗଡ଼ରେ ୮୩୭ ଜଣ ଆତ୍ମସମର୍ପଣ କରିଛନ୍ତି । ଏହା ଅଞ୍ଚଳରେ ଶାନ୍ତି ଓ ନିରାପତ୍ତା ଫେରାଇ ଆଣିବା ପାଇଁ ସରକାରଙ୍କ ଅତୁଟ ସଂକଳ୍ପକୁ ଦର୍ଶାଉଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଛତିଶଗଡ଼ରେ ନକ୍ସଲବାଦର ମୁକାବିଲାରେ ଗତ ବର୍ଷର ସଫଳତା ଅଭୂତପୂର୍ବ । ସେ ଉଲ୍ଲେଖ କରିଛନ୍ତି ଯେ ପୂର୍ବରୁ କେବେ ବି ଗୋଟିଏ ବର୍ଷରେ ଏତେ ବିଶାଳ ଅଞ୍ଚଳ ନକ୍ସଲ ପ୍ରଭାବରୁ ମୁକ୍ତ ହୋଇନାହିଁ କିମ୍ବା ଏତେ ସଂଖ୍ୟକ ନକ୍ସଲଙ୍କୁ ନିପାତ, ଗିରଫ କିମ୍ବା ଆତ୍ମସମର୍ପଣ କରାଯାଇନାହିଁ । ଏହି ପ୍ରୟାସରେ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ସୁସମନ୍ୱିତ ରଣନୀତି କାର୍ଯ୍ୟକାରୀ କରିଥିବାରୁ ଶ୍ରୀ ଶାହ ଛତିଶଗଡ଼ ସରକାରଙ୍କୁ ପ୍ରଶଂସା କରିଥିଲେ । ଛତିଶଗଡ଼ ପୋଲିସ ବାହିନୀର ପ୍ରଶଂସନୀୟ ଦଳଗତ କାର୍ଯ୍ୟକୁ ସେ ସ୍ୱୀକାର କରିଥିଲେ, ଯେଉଁମାନେ ଏକ ସ୍ପଷ୍ଟ ଏବଂ କେନ୍ଦ୍ରୀଭୂତ ଯୋଜନା ଦ୍ୱାରା ଏକ ଦୃଢ଼ ଅଭିଯାନ ଆରମ୍ଭ କରିଛନ୍ତି । ଭବିଷ୍ୟତକୁ ନେଇ ଆଶାବାଦୀ ହୋଇ ଅମିତ ଶାହ ଆଶ୍ୱାସନା ଦେଇଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ ପରେ ମା’ ଦାନ୍ତେଶ୍ୱରୀଙ୍କ ପବିତ୍ର ଭୂମିରେ ନକ୍ସଲବାଦ ନାଁରେ ଗୋଟିଏ ବୁନ୍ଦା ବି ରକ୍ତ ବହିବ ନାହିଁ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଲୋକପାତ କରିଥିଲେ ଯେ ଛତିଶଗଡ଼ ସରକାର ପୂର୍ବରୁ ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପର୍ଯ୍ୟାୟକ୍ରମେ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ଗ୍ରାମର କଲ୍ୟାଣ ଏବଂ ପ୍ରଭାବିତ ସମ୍ପ୍ରଦାୟର ଉନ୍ନତି ଉପରେ ଗୁରୁତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ସମର୍ଥନ ଏବଂ ସହଯୋଗରେ ଏହି ପଦକ୍ଷେପଗୁଡିକ କାର୍ଯ୍ୟକାରୀ ହେଉଛି ବୋଲି ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ । ନକ୍ସଲ ପ୍ରଭାବିତ ଅଂଚଳରେ ୧୫ ହଜାର ଘର ନିର୍ମାଣକୁ ପ୍ରଧାନମନ୍ତ୍ରୀ ମୋଦୀ ଅନୁମୋଦନ କରିଛନ୍ତି । ଏହାବ୍ୟତୀତ ନକ୍ସଲ ହିଂସାରେ କ୍ଷତିଗ୍ରସ୍ତ ପରିବାରକୁ ପ୍ରାଥମିକତା ସହାୟତା ସୁନିଶ୍ଚିତ କରିବା ସହ ପ୍ରତି ଗାଁରେ ଶତ ପ୍ରତିଶତ ସରକାରୀ କଲ୍ୟାଣକାରୀ ଯୋଜନା ହାସଲ ପାଇଁ ପ୍ରୟାସ ଚାଲିଛି । ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ନକ୍ସଲ ମୁକ୍ତ ଭାରତ ଅଭିଯାନକୁ ପ୍ରଭାବିତ ପରିବାରମାନଙ୍କଠାରୁ ଯଥେଷ୍ଟ ସମର୍ଥନ ମିଳୁଛି । କେନ୍ଦ୍ର ଗୃହ, ଆଦିବାସୀ ବ୍ୟାପାର ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଏକାଠି ହୋଇ ଏହି ପରିବାରଗୁଡ଼ିକୁ ବ୍ୟାପକ ସହାୟତା ଯୋଗାଇଦେବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ ଆଶ୍ୱାସନା ଦେବା ସହ ସେମାନଙ୍କ ଥଇଥାନ ଓ ପ୍ରଗତି ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ ।

Leave A Reply

Your email address will not be published.