- ଏନ୍ସିଏ ବଲାଙ୍ଗିର ବିଜେତା ଓ ଏମ୍ପିସିସି ପାଟଣାଗଡ ଉପବିଜେତା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ସିନିୟର ଇନଟ୍ରା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୦ଟି ଦଳ ଅଂଶ ଗ୍ରହଣ କରିଥିଲେ । ଦୁଇଟି ଗ୍ରୁପ ଗଠନ କରାଯାଇଥିଲା । ଉଭୟ ଗ୍ର୍ରୁପରେ ୫ଟି ଟିମ୍ ଅଂଶଗ୍ରହଣ କରିଥିଲେ । ଉଭୟ ଗ୍ର୍ରୁପର ଚମ୍ପିୟାନଙ୍କ ମଧ୍ୟରେ ଆଜି ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଆଜି ଟସ୍ ଜିଣି ଏମ୍ପିସିସି ପାଟଣାଗଡ ଦଳ ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଏନ୍ସିଏ ଦଳ ସମୁଦାୟ ୧୮୬/୧୦ ରନ୍ ସଂଗ୍ରହ କରି ଅଲ ଆଉଟ ହୋଇଯାଇଥିଲେ । ଦଳ ପକ୍ଷରୁ ଅଂଶୁମାନ ମିଶ୍ର ସର୍ବାଧିକ ୮୧ ରନ୍ ଓ ସୁବାଶିଷ ମିର୍ଦ୍ଧା ୨୬ ରନ୍ ସଂଗ୍ରହ କରିଥିଲେ । ପାଟଣାଗଡ ଦଳ ତରଫରୁ ସଫଳ ବୋଲର ଭାବରେ ହର ବେଣ୍ଟାକର ୪ ଗୋଟି, ଅମିତ ରାଉତ ୩ ଗୋଟି ଓ ସୁଜିତ ଜେନା ୨ ଗୋଟି ୱିକେଟ ନେଇଥିଲେ । ୧୮୭ ରନ୍ର ବିଜୟ ଲକ୍ଷ୍ୟକୁ ନେଇ ପଡିଆକୁ ଓହ୍ଲାଇଥିବା ଏମ୍ପିସିସି ପାଟଣାଗଡ ଦଳ ମାତ୍ର ୮୫ ରନ୍ ସଂଗ୍ରହ କରି ଅଲ୍ ଆଉଟ ହୋଇଯାଇଥିଲେ । ଏନ୍ସିଏ ଦଳ ତରଫରୁ ସଫଳ ବୋଲର ଭାବରେ ସତ୍ୟଜିତ ସିଂହଦେଓ ସର୍ବାଧିକ ୫ ଗୋଟି ୱିକେଟ ନେଇଥିବା ବେଳେ ଆୟୁଷ୍ମାନ ଦାଶ ଓ ଯୋଗେଶ୍ୱର ବାଗ ୨ଗୋଟି ଲେଖାଏଁ ୱିକେଟ ନେଇଥିଲେ । ଆଜିର ଏହି ଫାଇନାଲ ମ୍ୟାଚରେ ଅଂଶୁମାନ ମିଶ୍ରଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ଓ ସତ୍ୟଜିତ ସିଂହଦେଓଙ୍କୁ ବେଷ୍ଟ ବୋଲର ପୁରସ୍କାର ଦିଆଯାଇଥିଲା । ଆଜିର ଏହି ମ୍ୟାଚ୍କୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ସ୍ୱାଗତ ଶୁଭଙ୍କର ଓ ଜଗପତି ନାଏକ ସ୍କୋରର ଦାୟିତ୍ୱ ତୁଳାଇଥିଲେ । ଆଜିର ଏହି ଉଦ୍ଯାପନୀ ଉତ୍ସବରେ ଜିଲ୍ଲା କ୍ରୀଡା ସଂସଦ କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ ଓ ଫୁଟବଲ ସଂପାଦକ ଶରତ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ।