jayashree

କେନ୍ଦ୍ରୀୟ ସଂଚାର ବ୍ୟୁରୋ ପକ୍ଷରୁ ‘ମିଶନ ଲାଇଫ୍‌’ ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ

  • ସୁସ୍ଥ ଜୀବନ ପାଇଁ ସବୁଜ ଭବିଷ୍ୟତର ପରିକଳ୍ପନା ଜରୁରୀ

ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍ସେସ୍‌, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ପରିସରରେ ଗୁରୁବାର ‘ମିଶନ ଲାଇଫ୍‌’ ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ ସିବିସିର (ପୂର୍ବାଚଂଳ ଜୋନ୍‌) ମହା ନିର୍ଦ୍ଦେଶକ ଟି.ଭି.କେ. ରେଡ୍ଡୀ ଯୋଗଦେଇ ସବୁଜ ଭବିଷ୍ୟତ ଗଠନରେ କୃଷି ବିଭାଗ ଛାତ୍ରଛାତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଜୀବନଚର୍ଯ୍ୟା ପାଇଁ ପରିବେଶର ଗୁରୁତ୍ୱକୁ ଦେଶର ନାଗରିକମାନଙ୍କ ପାଖରେ ପହଚାଂଇବା ପାଇଁ ଭାରତ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଏହାକୁ ଗୁରୁତ୍ୱର ସହ ନେଇ ଏବେଠାରୁ ସଚେତନ ହେବାକୁ ସେ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ପିଆଇବି ଏବଂ ସିବିସି, ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଯୋଗଦେଇ କହିଥିଲେ, ସଚେତନତା ମାଧ୍ୟମରେ ଜନସାଧାରଣଙ୍କୁ ପରିବର୍ତନଶୀଳ ପରିବେଶ ପ୍ରତି ସଜାଗ କରାଇବା ଏବଂ ଏହାର ନିରାକରଣ ପାଇଁ ଏବେ ଠାରୁ ପ୍ରଚେଷ୍ଟା ଆରମ୍ଭ କରିବା ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ପ୍ଲାଷ୍ଟିକ୍‌ ବ୍ୟବହାର ହ୍ରାସ କରିବା ଏବଂ ଅକ୍ଷୟ ଶକ୍ତିର ବ୍ୟବହାର କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସିବିସି, ଭୁବନେଶ୍ୱରର ନିର୍ଦ୍ଦେଶକ ଡଃ. ଗିରିଶ ଚନ୍ଦ୍ର ଦାସ ଭାରତ ସରକାରଙ୍କ ମିଶନ ଲାଇଫ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ଥୃତ ଭାବରେ ଆଲୋଚନା କରିଥିଲେ । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ, ଭାରତ ସରକାରଙ୍କ ମିଶନ ଲାଇଫ୍‌ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ବିଶ୍ୱର ୨୦୦ରୁ ଅଧିକ ରାଷ୍ଟ୍ର ଜଳବାୟୁ ପରିବର୍ତନର ସମାଧାନ ଜରୁରୀ ବୋଲି ସ୍ୱୀକାର କରିଛନ୍ତି । ଏହି ପଦକ୍ଷେପ ଆମକୁ ପରିବେଶ ଅବକ୍ଷୟର ବାସ୍ତବତା ପ୍ରତି ସଚେତନ କରାଇବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍ସେସ୍‌ର ଡିନ୍‌ ପ୍ରଫେସର ସନ୍ତୋଷ କୁମାର ରାଉତ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ପ୍ଲାଷ୍ଟିକ୍‌ ଓ ଇ – ବର୍ଜ୍ୟବସ୍ତୁ ମୁକ୍ତ ବିଶ୍ୱ ଗଠନ କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ‘ଏକ୍‌ ପେଡ୍‌ ମା’ କେ ନାମ୍‌’ ଅଭିଯାନ ଅଧୀନରେ ଶ୍ରୀ ରେଡ୍ଡୀ ଏବଂ ପ୍ରଫେସର ନନ୍ଦ କ୍ୟାମ୍ପସ୍‌ ପରିସରରେ ବୃକ୍ଷରୋପଣ କରିଥିଲେ । ସେହିଭଳି ‘ମିଶନ ଲାଇଫ୍‌’ ବିଷୟବସ୍ତୁ ଉପରେ ପୂର୍ବରୁ ଆୟୋଜିତ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସିବିସିର ପଞ୍ଜୀକୃତ କଳାକାରଙ୍କ ଦ୍ୱାରା ପରିବେଷିତ ସୂଚନାଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ରହିଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିବିସି ଭୁବନେଶ୍ୱରର ଅତିରିକ୍ତ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା, ସିବିସି, ଭୁବନେଶ୍ୱରର କ୍ଷେତ୍ର ପ୍ରଚାର ଅଧିକାରୀ ସସ୍ମିତା ପାଇକରାୟ, ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ୍‌ ସାଇନ୍ସେସ୍‌ର ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ ଏବଂ ଡଃ. ଅଂଶୁମାନ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.