ମୁନିଗୁଡା, (ରମାକାନ୍ତ ପଡ଼ାଲ) : ୨୪ ବର୍ଷ ବିଜେଡ଼ି ସରକାରର ଶାସନ ପରେ ନୂତନ ଭାବେ ଓଡିଶାରେ ବିଜେପି ସରକାର ଶାସନ କଲାଣି । ତଥାପି ବିକାଶ ଖୋଜୁଛି ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ, ଭୈରବଗଡ଼ ପଞ୍ଚାୟତର ଲଦିପଙ୍ଗା ଗାଁ । ଏହି ଗାଁର ଗ୍ରାମବାସୀ ନିରୀହ, ସରଳ ଓ ବିଶ୍ୱାସୀ ହୋଇଥିବା ଯୋଗୁଁ ଏମାନେ ସ୍ଥାନୀୟ ନେତା ଓ ଅଫିସରଙ୍କ ଦ୍ୱାରା ଅଭିଶପ୍ତ ଅବସ୍ଥାରେ ରହି ଯାଇଛନ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି । ନା ଅଛି ଏଠାରେ ବିଜୁଳି ଆଲୋକ ନା ଅଛି ସ୍ୱଚ୍ଛ ପିଇବା ପାଣିର ବ୍ୟବସ୍ଥା, କିନ୍ତୁ ସରକାରୀ ଟଙ୍କା ଖର୍ଚ୍ଚ ହେଉଛି ତୁହାକୁ ତୁହା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ଏଠିକାର ହିତାଧିକାରୀ ସ୍ୱପ୍ନ ଦେଖି ଦେଖି ହତାଶ ହେଉଛନ୍ତି । ବୋଝ ଉପରେ ନଳିତା ବିଡା ପରି ମରଣ ଯନ୍ତା ପାଲଟିଛି ଭୈରବଗଡ଼ ଠାରୁ ଲଦିପଙ୍ଗା ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଦୁରାବସ୍ଥା । ଶୁଖିଲା ପାଗରେ ବି ଏହି ରାସ୍ତାରେ ଖଣ୍ଡେ ସାଇକଲ ଅବା ମଟରସାଇକଲ ଯିବା ଆସିବା କଷ୍ଟକର ହୋଇପଡୁଛି । ଚାରି ଚକିଆ ଗାଡି କଥା ନ କହିବା ଭଲ । ବର୍ଷା ଦିନେ ସେଠାକାର ଲୋକେ କିଭଳି ଭାବେ ଯିବା ଆସିବା କରୁଛନ୍ତି, ଯଦି ପ୍ରଶାସନ ଥରେ ସେ ରାସ୍ତାରେ ଗଲେ ଜାଣିପାରିଥାନ୍ତେ ବୋଲି ସେଠାକାର ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି । ଲୋକେ ଆଜିକୁ ୨୦ ବର୍ଷରୁ ଅଧିକ ହେଲାଣି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ରାସ୍ତା ମରାମତି ପାଇଁ ଦାବି ଜଣାଇଥିଲେ ସୁଦ୍ଧା ଫଳ ଶୂନ । ପ୍ରକାଶ ଥାଉକି, ସେହି ରାସ୍ତା କଡରେ ଏକ ପ୍ରାଥମିକ ଛାତ୍ରୀ ନିବାସ ଭଙ୍ଗା ପାଚେରୀ ଓ ଅବ୍ୟବସ୍ଥା ଭିତରେ ପଡ଼ିରହିଛି । ହେଲେ ପ୍ରଶାସନର ଦୃଷ୍ଟି ପଡୁନାହିଁ । କେତେବେଳେ ଯେ କୋମଳମତି ଶିଶୁ ମାନଙ୍କ କୌଣସି ଅସୁବିଧା ନହେବ, କିଏ କହି ପାରିବ । ଅଂଚଳରେ ହିଂସ୍ରଜନ୍ତୁ ଅବା କୌଣସି ଦୁଷ୍ଟ ପ୍ରକୃତିର ଲୋକଙ୍କ ଅଭାବ ନାହିଁ । ଅଘଟଣ ପାଦଟେକି ରହିଛି । କିଛି ଘଟିଗଲେ ଖାଲି ନେତା ମାନଙ୍କ କାଦୁଅ ଫିଙ୍ଗା ରାଜନୀତି ଓ ପ୍ରଶାସନର ଘଣ୍ଟ ଘୋଡ଼େଇବା ପ୍ରହସନ ହିଁ ସାର ହୋଇପାରେ । ତେଣୁ ପାଣି ଥାଉ ଥାଉ ବନ୍ଧ ବାନ୍ଧିବା ଭଳି ଶୀଘ୍ର ଶୀଘ୍ର ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରନ୍ତୁ ବୋଲି ଏଠାକାର ଲୋକେ ଦାବି କରରିଛନ୍ତି ।
Prev Post