jayashree

ସମସ୍ତ ଅଧିକାରୀଙ୍କୁ ଧରି ନରସିଂହଙ୍କ ରାଣୀପାଲି ଗସ୍ତ : ସ୍ପଟ୍‌ରେ ହେଲା ହିତାଧିକାରୀ ଚୟନ, ଘଣ୍ଟାଏ ଭିତରେ ଭତ୍ତା କାର୍ଡ ସହ ଭତ୍ତାରାଶି ପ୍ରଦାନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାଁ ମାନଙ୍କରେ ଜଣେ ବି ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନା ଫାଇଦାରୁ ବଂଚିତ ନ ହେବା କଥା । ବାଦ୍ଧକ୍ୟ ଭତ୍ତା, ଗରିବଙ୍କ ପାଇଁ ବାସଗୃହ, ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ହେଉ କି ବିଧବା ଏବଂ ବିକଳାଙ୍ଗ ଭତ୍ତା, କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଏ ସୁବିଧାରୁ ଯେମିତି ବଂଚିତ ନ ରହିବେ ସେ ଉପରେ ସେ ପ୍ରତ୍ୟେକ ଗସ୍ତରେ ଲୋକଙ୍କ ପାଇଁ କାମ କରିବେ ବୋଲି ଗତକାଲି ବଲାଙ୍ଗିର ବ୍ଲକ ସ୍ଥିତ ରାଣୀପାଲି ଗ୍ରାମ ଗସ୍ତରେ ଯାଇ ଶ୍ରୀ ମିଶ୍ର ଉପସ୍ଥିତ ଥିବା ଗ୍ରାମବାସୀ ତଥା ସମସ୍ତ ପଂଚାୟତ ସ୍ତରୀୟ ଅଧିକାରୀମାନଙ୍କୁ ରୋକ୍‌ଠୋକ୍‌ କହିଛନ୍ତି । ଏହି ଗସ୍ତରେ ସେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ ମହାପାତ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବଘନ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ମହାପାତ୍ର, ଇଂ. ମୃତ୍ୟୁଞ୍ଜୟ ରାଉତ, ରଶ୍ମିତା ମହାନ୍ତି ତଥା ଅନ୍ୟାନ୍ୟ ପଂଚାୟତ ସ୍ତରୀୟ ସରକାରୀ କର୍ମଚାରୀମାନଙ୍କୁ ସାଙ୍ଗରେ ନେଇ ଗାଁର ପ୍ରତ୍ୟେକ ଲୋକଙ୍କ ଅଭାବ ଅସୁବିଧା ବୁଝିଥିଲେ । ଗାଁର ପାନୀୟ ଜଳ, ବିଜୁଳି ସମସ୍ୟା, କମ୍ୟୁନିଟି ସେଣ୍ଟର, ରାସ୍ତା ସମସ୍ୟା ଗୁଡିକ ଲୋକଙ୍କ ଠାରୁ ଶୁଣି ସେ ତୁରନ୍ତ ଉପସ୍ଥିତ ଥିବା ବିଡିଓ ତଥା କନିଷ୍ଠ ଯନ୍ତ୍ରୀଙ୍କୁ ତୁରନ୍ତ ସେ ଦିଗରେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଜାଗାରେ ଆବାସଗୃହ କିମ୍ବା କମ୍ୟୁନିଟି ସେଣ୍ଟର ଗୁଡିକରେ ହିତାଧିକାରୀମାନେ ପଇସା ପାଇ ନାହାନ୍ତି, ସେ ସବୁ ତତ୍‌କ୍ଷଣାତ ସବିଶେଷ ତଦନ୍ତ କରି ସେ ସମସ୍ୟାର ସମାଧାନ କରାଇଥିଲେ । ଉପସ୍ଥିତ ଥିବା ପଂଚାୟତ ନିର୍ବାହୀ ଅଧିକାରୀ ଗାଁର ବାକି ରହିଯାଇଥିବା ଗରିବ ଲୋକମାନେ ଯେଉଁମାନଙ୍କର ବାସଗୃହ ନାହିଁ ସେମାନଙ୍କୁ ଯୋଜନା ଅନ୍ତର୍ଗତ ବାସଗୃହ ଦେବା ପାଇଁ ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆହୁରି ମଧ୍ୟ ଖାଦ୍ୟ ସୁରକ୍ଷାରେ ଯେଉଁମାନେ ବଂଚିତ ଅଛନ୍ତି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ସବୁଠାରୁ ମୁଖ୍ୟ ଘଟଣା ଥିଲା ଶ୍ରୀ ମିଶ୍ରଙ୍କ ନିର୍ଦ୍ଦେଶରେ ଉପସ୍ଥିତ ଥିବା ସାମାଜିକ ସୁରକ୍ଷା ଅଧିକାରୀ ତୁରନ୍ତ ତାଙ୍କ ବିଭାଗର ଯୋଜନା ମୁତାବକ ବିଧବା, ଶାରୀରିକ ବିକଳାଙ୍ଗ, ବାର୍ଦ୍ଧକ୍ୟ ତଥା ବିଧବା ଭତ୍ତାର ସବିଶେଷ ଅନୁସନ୍ଧାନ କରି ୫ଜଣ ହିତାଧିକାରୀଙ୍କୁ ତୁରନ୍ତ ଭତ୍ତା କାର୍ଡ ପ୍ରଦାନ କରି ପ୍ରଥମ ମାସର ଭତ୍ତା ରାଶି ମଧ୍ୟ ପ୍ରଦାନ କରିଥିଲେ । ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ରୁକ୍ମଣୀ ମହାକୁର, ଶ୍ରୀୟା ନନ୍ଦ, ସୁମିତ୍ରା ମେର୍ଲି, ବସୁମତି ନନ୍ଦ ଏବଂ ଚହଳା ବାଗଙ୍କୁ ବିଧାୟକ ଶ୍ରୀ ମିଶ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ସାମାଜିକ ଅଧିକାରୀଙ୍କ ଉପସ୍ଥିତିରେ କାର୍ଡ ଓ ଭତ୍ତା ରାଶି ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ରାଣୀପାଲି ଗାଁର ପ୍ରତ୍ୟେକ ଲୋକଙ୍କ ଛୋଟରୁ ବଡ ସମସ୍ୟା ଶୁଣି ସାରିଲା ପରେ ତାର ସମାଧାନର ରାସ୍ତା ନିଶ୍ଚୟ ବାହାର କରାଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଏହି ଗସ୍ତ ସମୟରେ ସରକାରୀ ଅଧିକାରୀଙ୍କ ବ୍ୟତୀତ ଶ୍ରୀ ମିଶ୍ରଙ୍କ ସହିତ ବ୍ଲକ ଉପାଧ୍ୟକ୍ଷା ଯଶୋବନ୍ତୀ ବଘାର, ରାମ ମିଶ୍ର, ବିପିନ ପୁଟେଲ, ଲମ୍ବୋଧର ମହାକୁର, ଧନଞ୍ଜୟ ସିଂ ପ୍ରମୁଖ ମଂଚାସୀନ ଥିଲେ ।

Leave A Reply

Your email address will not be published.