ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପାରିବାରିକ କଳହର କରୁଣ ପରିଣତି ନେଇଛି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ । ମୋବାଇଲ ବନ୍ଧା ରଖିବାକୁ ନେଇ ବଚସା ପରେ ସ୍ତ୍ରୀଙ୍କ ନିଜ ଘରେ ଆତ୍ମହତ୍ୟା । ତେବେ ସ୍ତ୍ରୀ ଆତ୍ମହତ୍ୟା କରିବା ଦେଖି ସ୍ୱାମୀ ସ୍ତ୍ରୀଙ୍କୁ ବଞ୍ଚେଇବାକୁ ଉଦ୍ୟମ କରି ବିଫଳ ହେବା ପରେ ଅନ୍ୟ ଏକ କୋଠରୀରେ ସ୍ୱାମୀ ମଧ୍ୟ ଆତ୍ମହତ୍ୟା କରିଥିଲେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲିଗୁଡା ଥାନା ବୁଡୁରୁକିଆ ପଞ୍ଚାୟତର ମଝିସାହିରେ । ଏହି ଗ୍ରାମର ପ୍ରମୋଦ ମଲ୍ଲିକ ଗତ ୨ ବର୍ଷ ହେବ ପୁଆରୀ ମଲ୍ଲିକଙ୍କୁ ବିବାହ କରିଥିଲେ । ବିବାହ ସମୟରେ ନିଜ ବାପା ଘରୁ ସ୍ତ୍ରୀ ପୁଆରୀ ଏକ ମୋବାଇଲ ଆଣିଥିଲେ । ତେବେ ଅଭାବରେ ପଡି ପ୍ରମୋଦ ମୋବାଇଲକୁ ବନ୍ଧା ରଖିବା ପରେ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଯାହାକୁ କେନ୍ଦ୍ର କରି ସ୍ତ୍ରୀ ପୁଆରୀ ମଲ୍ଲିକ ପ୍ରଥମେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରେ ସ୍ୱାମୀ ପ୍ରମୋଦ ମଧ୍ୟ ନିଜକୁ ସହ୍ୟ କରି ନପାରି ଅନ୍ୟ ଏକ କୋଠରୀ ମଧ୍ୟରେ ଆତ୍ମହତ୍ୟା କରିଥିଲେ । ଖବର ପାଇ ବାଲିଗୁଡା ପୋଲିସ ଓ ମାଜିଷ୍ଟ୍ରେଟ ତଥା ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଘରୁ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରିଛି । ଏନେଇ ଘଟଣାର ଅଧିକ ତଦନ୍ତ ଜାରୀ ରଖୁଛି ବାଲିଗୁଡା ପୋଲିସ । ଉଭୟଙ୍କ ଆତ୍ମହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।