ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଜପତି ଜିଲ୍ଳାର ମୋହନା କେନ୍ଦୁଘାଟିରେ ଗତକାଲି ପ୍ରତ୍ୟୁଷରେ ଦୁର୍ଘଟଣା ଘଟିଛି । ଟ୍ରାଭେଲର ଭ୍ୟାନ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହେଇଥିବା ଖବର ମିଳିଛି । ମୃତକ ଜଣକ ନୟାଗଡ଼ ଚାହାଳି ଗାଁର ସରୋଜିନୀ ବେହେରା ବୋଲି ଜଣାଯାଇଛି । ଖବର ପାଇ ମୋହନା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମୋହନାର ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛନ୍ତି । ସେଠାର ପ୍ରାଥମିକ ଚିକିତ୍ସା ପରେ ୩ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉକି, ନୟାଗଡ଼ ଜିଲ୍ଲାର ଶରଣକୁଳ ଅଞ୍ଚଳରୁ ୧୪ ଜଣ ପିକ୍ନିକ୍ ପାଇଁ ଭୁବନେଶ୍ୱରରୁ କୋରାପୁଟ ଯାଉଥିଲେ । ଭୋର ୪ଟାରେ ଭ୍ୟାନ୍ଟି କେନ୍ଦୁଘାଟିରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଫଳରେ ମୋହନା ପୋଲିସ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ସାହାଯ୍ୟର ହାତ ବଢ଼ାଇ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକରି ସାଧାରଣରେ ପ୍ରସଂଶାର ପାତ୍ର ହୋଇଛନ୍ତି ।