ସରକାର ଏବଂ କୃଷକ ସଂଗଠନର ବୈଠକ ଶେଷ : ହୋଇ ପାରିଲା ନାହିଁ ସମାଧାନ, ଜାନୁଆରୀ ୧୯ରେ ପୁଣି ପରବର୍ତ୍ତୀ ଆଲୋଚନା

ନୂଆଦି‌ଲ୍ଲୀ : ଆଜି କେନ୍ଦ୍ର ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଆଉ ଏକ ରାଉଣ୍ଡ ଆଲୋଚନା ହୋଇଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ପ୍ରସ୍ତୁତ କମିଟି ପରେ ସରକାର ଏବଂ କୃଷକଙ୍କ ମଧ୍ୟରେ ଏହା ପ୍ରଥମ ବୈଠକ ଥିଲା, କିନ୍ତୁ ଏଥର ମଧ୍ୟ କିଛି ସମାଧାନର ବାଟ ଫିଟିନାହିଁ । କୃଷକ ସଂଗଠନ ପକ୍ଷରୁ କୃଷି ଆଇନ ପ୍ରତ୍ୟାହାର କରିବାକୁ ଦାବୀ କରାଯାଇଛି । ସରକାର ଏବଂ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ପରବର୍ତ୍ତୀ ବୈଠକ ବର୍ତ୍ତମାନ ଜାନୁଆରୀ ୧୯ରେ ଅନୁଷ୍ଠିତ ହେବ ।

ସରକାର ଏବଂ କୃଷକ ସଂଗଠନର ବୈଠକ ଶେଷ ହୋଇଛି । ଏହା ଥିଲା ନବମ ରାଉଣ୍ଡ ଆଲୋଚନା । ଆଜିର ବୈଠକ ମଧ୍ୟ ଅସ୍ପଷ୍ଟ ଥିଲା । ବର୍ତ୍ତମାନ ଜାନୁଆରୀ ୧୯ରେ ସରକାର ଏବଂ କୃଷକମାନେ ଦ୍ୱିପ୍ରହରରେ ପୁଣିଥରେ ଭେଟାଭେଟି ହେବେ ।
କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ସରକାର ଏବଂ କୃଷକଙ୍କ ମଧ୍ୟରେ ଚାଲିଥିବା ବୈଠକରେ କୌଣସି ସମାଧାନ ହୋଇପାରି ନାହିଁ । ବିରତି ପରେ ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଉପରେ ଆଲୋଚନା ହୋଇଛି । ସେ କହିଛନ୍ତି ଯେ, କୃଷକଙ୍କ ଆନ୍ଦୋଳନ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ସରକାର ସ୍ୱାଗତ କରୁଛନ୍ତି । କମିଟି ଆଗରେ ସରକାର ଏହାର ପକ୍ଷ ଉପସ୍ଥାପନ କରିବେ । ଆମେ ବାର୍ତ୍ତାଳାପରେ ସମାଧାନ କରିବାକୁ ଚାହୁଁଛୁ ।

କୃଷକ ନେତା ରାକେଶ ଟିକୈତ କହିଛନ୍ତି ଯେ, ଏହି ବୈଠକରେ କୃଷକ ସଂଗଠନ ସରକାରଙ୍କୁ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ଗ୍ରହଣୀୟ ନୁହେଁ । କୃଷକ ସଂଗଠନ ଏବଂ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆଲୋଚନା ଜାରି ରହିବ ଏବଂ ସବୁ ସମସ୍ୟା ବୁଝାମଣା ଦ୍ୱାରା ସମାଧାନର ରାସ୍ତା ଖୋଜିବେ । କୃଷକ ସଂଗଠନ କହିଛି ଯେ ମଧ୍ୟାହ୍ନ ଭୋଜନ ପରେ ଏମଏସପି ଏବଂ ତିନି କୃଷି ଆଇନ ଉପରେ ଆଲୋଚନା ହୋଇଛି ।

Leave A Reply

Your email address will not be published.