jayashree

ଶିଶୁ ଦିବସ ଅବସରରେ ବୈତାଳି ସିଆର୍‌ସିସିଙ୍କ ନିଆରା ପ୍ରୟାସ

  • ତହଁକ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ଶିଶୁ ତଥା ଶିକ୍ଷକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟରର ସିଆର୍‌ସିସି ଦିବସ କୁମାର ସାହୁ ନିଜ କ୍ଲଷ୍ଟର ସ୍ତରରେ ଛାତ୍ରଛାତ୍ରୀ ତଥା ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ଅନେକ ଅଭିନବ ପଦକ୍ଷେପ ମାନ ଗ୍ରହଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତାଙ୍କ ଉଦ୍ୟମରେ ବରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳ ଭାବେ ଜଣାଶୁଣା ଝାରବନ୍ଧ ବ୍ଲକର ବୈତାଳି କ୍ଲଷ୍ଟରରେ ଚଳିତ ବର୍ଷ ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ କରାଯାଇଛି । ଶ୍ରୀ ସାହୁ ନିଜ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ବଢ଼ିବାରେ ପ୍ରେରଣା ଦେବା ସହ ଉତ୍ସାହିତ କରିବା ପାଇଁ ‘ତହଁକ’ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଯେଉଁଥିରେ କ୍ଲଷ୍ଟର ଅନ୍ତର୍ଗତ ବିଦ୍ୟାଳୟ ମାନଙ୍କରୁ ଅନେକ ମେଧାବୀ ତଥା କୃତୀ ଛାତ୍ରଛାତ୍ରୀ ଯୋଗଦାନ ଦେଇଥିଲେ । ଯେଉଁ ଛାତ୍ରଛାତ୍ରୀମାନେ ଗତ ଏକବର୍ଷ ମଧ୍ୟରେ ବ୍ଲକସ୍ତରରୁ ଚୟନ ହୋଇ ଜିଲ୍ଲାସ୍ତରୀୟ ତଥା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ତାଙ୍କୁ ‘ତହଁକ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅମଠି ଗ୍ରାମ ପଞ୍ଚାୟତ ସରପଞ୍ଚ ଲକ୍ଷେ ସିଂ ଥପା ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ତୁମୁରିପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରଣୀସେନ ପ୍ରଧାନ, ସନଦାଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ ସୁନା ଯୋଗ ଦେଇଥିଲେ । ଚଳିତବର୍ଷ ବୈତାଳି କ୍ଲଷ୍ଟରର ୪ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ ଯାହାକି ଅତ୍ୟନ୍ତ ଗର୍ବର ବିଷୟ । କବାଡି ପ୍ରତିଯୋଗିତାରେ ସନ୍ଦଦାଦର ବିଦ୍ୟାଳୟର ଛାତ୍ରୀ ତନୟା ଷାଣ୍ଢ ଏବଂ ଅମଠି ଉଚ୍ଚ ବିଦ୍ୟାଳୟର ଛାତ୍ରୀଗୁଞ୍ଜନ ପଟେଲ, ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତାରେ ଅମଠି ଉଚ୍ଚ ବିଦ୍ୟାଳୟର ଛାତ୍ର ପୁରନ ଛତର, ଜିଲ୍ଲାସ୍ତରୀୟ ସୁରଭି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଅମଠି ଉଚ୍ଚ ବିଦ୍ୟାଳୟର ଛାତ୍ର ରୂପେଶ ନାଏକ କ୍ଲଷ୍ଟରକୁ ଗୌରବାନ୍ୱିତ କରିଥିବାରୁ ସମସ୍ତଙ୍କୁ ସମ୍ମାନିତ କରାଯାଇଥିଲା । ଏହାଛଡ଼ା ବ୍ଲକ ସ୍ତରରୁ ଜିଲ୍ଲା ସ୍ତରକୁ ଚୟନ ହୋଇଥିବା ଅନେକ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗତବର୍ଷ ମହିଳା କ୍ରିକେଟରେ ମଧ୍ୟ ବୈତାଳି କ୍ଲଷ୍ଟରର ଦଳ ଅମଠି ଲେଡି ଲାୟନ୍ସ ବରଗଡ଼ ଜିଲ୍ଲା ଚମ୍ପିୟାନ ହୋଇଥିଲା ଯେଉଁଥିରେ ସିଆର୍‌ସିସି ଶ୍ରୀ ସାହୁଙ୍କ ପ୍ରମୁଖ ଭୂମିକା ରହିଛି । ଏହାଛଡା ଶିଶୁ ଦିବସ ଅବସରରେ ବୈତାଳି କ୍ଲଷ୍ଟରର ୫ ଜଣ ଶିକ୍ଷକ ରାଜେଶ ପ୍ରଧାନ, ସନାତନ ବରିହା, ସବିତ କୁମାର ମହାଳିଙ୍ଗ, ଯୋଗେନ୍ଦ୍ର ପ୍ରଧାନ ଏବଂ ଡୋଳାମଣି ତ୍ରିପାଠୀଙ୍କୁ ଗୁରୁ ସମ୍ମାନିତ କରାଯାଇଥିଲା । ବୈତାଳି କ୍ଲଷ୍ଟରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ସକ୍ରିୟ ଭାବେ ସହଯୋଗ କରିଆସୁଥିବା ତୁର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଗଣେଶ ମେହେରଙ୍କୁ ଗୁରୁ ଦ୍ରୋଣାଚାର୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଜଗନ୍ନାଥ ପ୍ରଧାନ, ସୁଜାତା ସାହୁ ଏବଂ ସବିତା ଧରୁଆ ସକ୍ରିୟ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅମଠି ବିଦ୍ୟାଳୟର ବାଜାର ତାଳେ ତାଳେ ବୈତାଳି ବିଦ୍ୟାଳୟ ଛାତ୍ରୀମାନଙ୍କର ନୃତ୍ୟ ସମସ୍ତଙ୍କ ମନ ମୋହିଥିଲା । ବୈତାଳି ସିଆର୍‌ସିସିଙ୍କ ଉକ୍ତ ପ୍ରୟାସ ନିଶ୍ଚିତ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଆଗକୁ ବଢ଼ିବାରେ ଉତ୍ସାହିତ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.