କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଦେୱାନୀ ଜଜ୍ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତର ଶୁଭ ଉଦ୍ଘାଟନ ହୋଇଯାଇଛି । ଉଚ୍ଚ ନ୍ୟାୟାଳୟ, ଓଡ଼ିଶା, ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ସରନ୍ ସିଂ ଏହି ଅଦାଲତକୁ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ । ଏହି ଅବସରରେ ଜଷ୍ଟିସ ଭି. ନରସିଂହ, ବିଚାରପତି ଉଚ୍ଚ ନ୍ୟାୟାଳୟ କଟକ ଓ ଅନ୍ୟ ବିଚାରପତି ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଅବସରେ ଆଜି ଲାଞ୍ଜଗଡ଼ ଠାରେ ଉକ୍ତ ଅଦାଲତର ଉଦ୍ଘାଟନୀ ସମାରୋହରେ କଳାହାଣ୍ଡି ଜିଲ୍ଲାର ଦୌରା ଜଜ୍ ଅନୁପ ରଞ୍ଜନ ପଟ୍ଟନାୟକ, ଭବାନୀପାଟଣା ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ଚରନଜିତ ଓରାମ, ଲାଞ୍ଜିଗଡ଼ ଜେ. ଏମ୍. ଏଫ୍. ସି. ନାଜିଦା ଖାତୁନ, କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଓକିଲ ସଂଘର ସମ୍ପାଦକ, ସଭାପତିଙ୍କ ସହିତ ଅନ୍ୟ ଓକିଲମାନେ ମଧ୍ୟ ଉପସ୍ଥିତ ଥିଲେ । ଅଞ୍ଚଳବାସୀଙ୍କ ବହୁଦିନର ପ୍ରତୀକ୍ଷା ପରେ ଲାଞ୍ଜିଗଡ଼ ଠାରେ ଏହି ଅଦାଲତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅଦାଲତ ହୋଇଥିବାରୁ ଲାଞ୍ଜିଗଡ଼, ପାଖାପାଖି ଅଞ୍ଚଳର ଲୋକେ ଆଇନ ସେବା ପାଇ ପାରିବେ ।