jayashree

କଳାହାଣ୍ଡି ଜିଲ୍ଲାରୁ ୬୦ ଲକ୍ଷ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ଯୋଗାଣ ବିଭାଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଭବାନୀପାଟନା ସଦର ବିଧାୟକ ସାଗର ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା, କଳାହାଣ୍ଡି ସାଂସଦଙ୍କ ପ୍ରତିନିଧି, ଜୁନାଗଡ଼, ନର୍ଲା ଏବଂ ଲାଞ୍ଜିଗଡ଼ ବିଧାୟକ ପ୍ରତିନିଧି ଯୋଗ ଦେଇଥିଲେ । ଏତ୍‌ତବ୍ୟତୀତ ସମସ୍ତ ଲାଇନ ବିଭାଗର ଅଧିକାରୀ, ଚାଷୀ ପ୍ରତିନିଧି ଏବଂ ମିଲର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚଳିତ ୨୦୨୪ -୨୫ ବର୍ଷ ଖରିଫ ଫସଲ ପାଇଁ ଜିଲ୍ଲାରେ ୧୧, ୪, ୭୫୮ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବା ବୈଠକରେ ସୂଚନା ଦିଆଯାଇଥିଲା । ଚଳିତ ଖରିଫ ଋତୁରେ କଳାହାଣ୍ଡି ଜିଲ୍ଲାରେ ୬୦ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫୦ ଲକ୍ଷ ୮୮ ହଜାର କ୍ୱିଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ ସୂଚନା ଦେଇଛନ୍ତି । ମୁଖ୍ୟତଃ ଗତ ବର୍ଷ ଖରିଫର କ୍ରୟ ଓ ଚଳିତ ବର୍ଷ ଖରିଫର ଲକ୍ଷ୍ୟ ଧାର୍ୟ, ଧାନର ସର୍ବନିମ୍ନ ମୂଲ୍ୟ, ବୋନସ, ମଣ୍ଡି ପରିଚାଳନା ଓ ଧାନ କ୍ରୟ ପ୍ରକ୍ରିୟାରେ ସାମିଲ ବିଭିନ୍ନ ସଂସ୍ଥାର ଦାୟିତ୍ଵ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଚଳିତ ବର୍ଷ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମଣ୍ଡି-ନୋଡାଲ ଅଫିସର, ମଣ୍ଡି-ତଦାରଖ ଅଫିସର ନିଯୁକ୍ତି ସମ୍ପର୍କରେ ଜିଲ୍ଲାପାଳ ସମସ୍ତ ସଦସ୍ୟଙ୍କୁ ଅବଗତ କରାଇଥିଲେ । ଏହି ଋତୁରେ ଡିଜିଟାଲ ଧାନ ବିଶ୍ଳେଷକ ବ୍ୟବହାର ନିମନ୍ତେ ୧୩୫ ଜଣ ତାଲିମ ପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତ କରାଯିବା ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇଥିଲେ । ଚଳିତ ବର୍ଷ ୭ ଗୋଟି ନୂଆ ମଣ୍ଡି ସ୍ଥାପନ ନିମନ୍ତେ ବୈଠକରେ ସହମତି ପ୍ରକାଶ ପାଇଥିଲା । ଧର୍ମଗଡ଼ ବିଧାୟକ ଚଳିତ ଖରିଫ ଋତୁରେ ଧାନର ବିକ୍ରୟ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କା ସରକାର ଧାର୍ଯ୍ୟ କରି ଥିବାରୁ ସମସ୍ତଙ୍କ ସହଯୋଗରେ ଧାନ କିଣା ପ୍ରକ୍ରିୟାକୁ ସୂଚାରୁ ରୂପେ ପରିଚାଳନା ନିମନ୍ତେ ଗୁରୁତ୍ୱ ଆରୋପ କରିଥିଲେ । ବୈଠକରେ ଧାନ କ୍ରୟରେ ଭାଗ ନେଉ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆଲୋଚନା କରାଯାଇଥିଲା । ସେଥି ମଧ୍ୟରୁ ବିଭିନ୍ନ କାରଣରୁ ୭ ଗୋଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଧାନ କ୍ରୟ ପ୍ରକ୍ରିୟାରୁ ବାଦ ଦିଆଯାଇଥିବା ଜିଲ୍ଲାପାଳ ବୈଠକରେ ପ୍ରକାଶ କରିଥିଲେ । ଧାନ ସଂଗ୍ରହ ପ୍ରକ୍ରିୟା ନଭେମ୍ବର ୨୯ ଠାରୁ ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ଡିସେମ୍ବର ୪ ତାରିଖ ସୁଦ୍ଧା ଜିଲ୍ଲାର ସମସ୍ତ ବ୍ଲକମାନଙ୍କରେ ମଣ୍ଡି ଖୋଲିବା ପାଇଁ ବୈଠକରେ ସ୍ଥିରୀକୃତ ହେଲା । ସରକାରଙ୍କ ନିୟମ ଅନୁଯାୟୀ ଚାଷୀ ଯେପରି ନିଜର ଧାନ ବିକ୍ରୟ କରି ଠିକ୍ ସମୟରେ ଉପଯୁକ୍ତ ମୂଲ୍ୟ ପାଇପାରିବେ ସେଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ୍ ହୋଇ କାର୍ଯ୍ୟ ତୁଲାଇବା ପାଇଁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଥିଲେ । ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇବାରେ ସମସ୍ତଙ୍କ ସହଯୋଗ ଜିଲ୍ଲାପାଳ କାମନା କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.