jayashree

ଶିକ୍ଷକ ନିଯୁକ୍ତି ଦାବୀ ନେଇ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବୌଦ୍ଧ, (କେପିଏନ୍‌ଏସ୍‌) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଘୋରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ । ସୂଚନା ଅନୁଯାୟୀ ଘୋରଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି ଓ ସମୁଦାୟ ୬୦ ଜଣ ଛାତ୍ରଛାତ୍ରୀ ଅଛନ୍ତି । କିନ୍ତୁ ୩ ଜଣ ଶିକ୍ଷକରେ ଶିକ୍ଷାଦାନ କରାଯାଉଛି । ଯାହାକି ୩ ଜଣ ଶିକ୍ଷକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଠିକ୍‌ ସେ ହେଇପାରୁନାହିଁ ଓ ପିଲା ମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ୩ ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷୟିତ୍ରୀ ମଧୁମିତା ଭୋକ୍ତା ମାତୃତ୍ୱ ଛୁଟିରେ ରହିବାର ଅଛି । ତେଣୁ ଏହାର ପ୍ରତିବାଦରେ ଗତ ୨୧ ତାରିଖରେ ଛାତ୍ରଛାତ୍ରୀ ଓ ଅଭିଭାବକ ମିଶି ସ୍କୁଲରେ ତାଲା ପକାଇ ପ୍ରତିବାଦ କରିଥିଲେ । ଫଳସ୍ୱରୂପ ଏବିଇଓ ଓ ସିଆର୍‌ସିସି ସ୍କୁଲକୁ ଯାଇ ଉକ୍ତ ସମସ୍ୟାର ସମାଧାନ କରି ଆଉ ଜଣେ ଶିକ୍ଷକକୁ ନିଯୁକ୍ତି ଦେବା ପାଇଁ ଏକ ଲିଖିତ ପ୍ରତିଶୃତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଶିକ୍ଷକ ନିଯୁକ୍ତି ଦିଆଯାଇ ନଥିବାରୁ ଗୁରୁବାର ଦିନ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମିଶି ସ୍କୁଲ ଗେଟ୍‌ ସମ୍ମୁଖରେ ତାଲା ପକାଇ ପ୍ରତିବାଦ କରିଥିବା ସୂଚନା ମିଳିଛି । ଉକ୍ତ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲ ଗେଟ୍‌ ସମ୍ମୁଖରେ ତାଲା ପଡ଼ିଥିବ ବୋଲି ଅଭିଭାବକମାନେ କହିଛନ୍ତି ।

Leave A Reply

Your email address will not be published.