jayashree

ହିତାଧିକାରୀ ପିଛା ୧୫ କିଲୋ ଲେଖାଏ ତିନିମାସର ଆଗୁଆ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

  • ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିଥିବା ୧.୩୧ ଲକ୍ଷ ଶ୍ରମିକଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ୩ ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ୩ ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ, ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ୪୦ ଲକ୍ଷ ପରିବାର ଏ ପର୍ଯ୍ୟନ୍ତ ଚାଉଳ ପାଇ ନାହାନ୍ତି । ତେଣୁ ଏହି ପରିବାରଗୁଡ଼ିକୁ ତୁରନ୍ତ ଚାଉଳ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ରାଜ୍ୟ ସରକାର ଇ-ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବା ସବୁ ଶ୍ରମିକ ମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ଇ-ଶ୍ରମିକରେ ପଞ୍ଜୀକୃତ ହୋଇଥିବା ୧କୋଟି ୩୦ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସାମିଲ ହୋଇଥିବା ବେଳେ ଆଉ ୧ ଲକ୍ଷ ୩୧ ହଜାର ଶ୍ରମିକ ବାକି ରହିଛନ୍ତି । ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ୱାନ ନେସନ୍ ୱାନ ରାସନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଓଡିଆ ମାନଙ୍କର ଇ-କେ.ୱାଇ.ସି ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.