ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି ବାପା ସୁବାସ ପରିଡ଼ା । ନିଜର ୭ ବର୍ଷର ଝିଅକୁ ଶ୍ୱଶୁର ଘର ଲୋକେ ପଣ ବନ୍ଦୀ କରି ରଖିଥିବା ନେଇ ଅଭିଯୋଗ ଆଣିଛନ୍ତି ସୁବାସ । ଗତକାଲି ସନ୍ଧ୍ୟା ସମୟ ଠାରୁ ସେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରି ଧାରଣା ଦେଇଥିବା କହିଛନ୍ତି । ବାରଙ୍ଗ ଅନ୍ତର୍ଗତ ସୁବାସ ପରିଡ଼ା ଡେଲାଙ୍ଗ ଅଞ୍ଚଳର ଝିଅଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ତେବେ ସୁବାସଙ୍କ ପତ୍ନୀଙ୍କ କୌଣସି କାରଣ ବଶତଃ ଦେହାନ୍ତ ହେବା ପରେ ଏବେ ଶ୍ୱଶୁର ଘର ଲୋକେ ତାଙ୍କ ଏକ ମାତ୍ର ୭ ବର୍ଷର ଝିଅକୁ ପଣବନ୍ଦୀ କରି ରଖିଥିବା ସୁବାସ ପରିଡ଼ା ଅଭିଯୋଗ କରିଛନ୍ତି ଏବଂ ୫୦ ଲକ୍ଷ ଟଙ୍କା ଦେଲେ ଝିଅକୁ ଫେରାଇବେ ବୋଲି ଦାବୀ କରିଥିବା ସାଂଘାତିକ ଅଭିଯୋଗ କରିଛନ୍ତି । ଏନେଇ ଡେଲାଙ୍ଗ ଥାନାରେ ସୁବାସ ଏବଂ ତାଙ୍କ ସମ୍ପର୍କୀୟ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଦାବିରେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ସେପଟେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସତ୍ୟାସତ୍ୟ ଜଣାପଡିଲେ ପଦକ୍ଷେପ ନିଆଯିବ ବୋଲି ଏସ୍ଡ଼ିପିଓ ସୂଚନା ଦେଇଛନ୍ତି । ଆମେ ୫୦ ଲକ୍ଷ ଟଙ୍କା କଥା କହିନୁ କିନ୍ତୁ ଯାହା ଆମେ ଆମ ଝିଅକୁ ବାହାଘର ସମୟରେ ଦେଇଥିଲୁ ସେ ସବୁ ଦେଇ ଝିଅକୁ ନେଇଯାନ୍ତୁ ବୋଲି ଏପଟେ ଝିଅର ମାମୁ କହିଛନ୍ତି ।