ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ପକ୍ଷରୁ ଏଚ୍‌ପିଏଲ୍‌ କ୍ରିକେଟ୍‌ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାରା ଦେଶରେ ଫଟାଫଟ୍‌ ବା ସୀମିତ ଓଭର କ୍ରିକେଟ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି । ଏହି କ୍ରମରେ ରାଉରକେଲା ସହରର ପାନପୋଷଠାରେ ଥିବା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରାବାସ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ଥିବା ମିନି ଷ୍ଟାଡିୟମ୍‌ରେ ଏଚ୍‌ପିଏଲ୍‌ କ୍ରିକେଟ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ବିଜୟ କୁମାର ବେହେରା ଏହାକୁ ଶୁଭ ନାରିକେଳ ଭାଙ୍ଗି ଉଦ୍‌ଘାଟନ କରିଥିଲେ । ଏହା ସହିତ ଏହିଭଳି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଅନ୍ତେବାସୀମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ସୁଷମା ମୋଦି, ଛାତ୍ରାବାସର ଅଧୀକ୍ଷକ ତଥା ଅଧ୍ୟାପକ ଅଜୟ ବେହେରା, ଅଧ୍ୟାପକ ଆଭାଷ ହୋତା ଏବଂ ମହେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତା ଶନିବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଖେଳରେ ମୋଟ ୪ଟି ଦଳ ଭାଗ ନେବାକୁ ଥିଲାବେଳେ ଫାଇନାଲ୍‌ ସହିତ ୯ଟି ମ୍ୟାଚ୍‌ ଖେଳାଯିବ । ପ୍ରତିଯୋଗିତାର ଲିଗ୍‌ ମ୍ୟାଚ୍‌ଗୁଡ଼ିକ ୮ ଓଭର ଲେଖା ହେବାକୁ ଥିଲାବେଳେ ସେମିଫାଇନାଲ ଖେଳ ୧୦ ଓଭର ଓ ଫାଇନାଲ୍‌ ଖେଳ ୧୨ ଓଭର ବିଶିଷ୍ଟ ହେବ ବୋଲି ସୂଚନା ଦିଆଯାଇଛି । ପ୍ରତିଯୋଗିତାର ଚମ୍ପିୟାନ ଏବଂ ଉପବିଜେତା ଦଳକୁ ଆକର୍ଷଣୀୟ ପୁରସ୍କାର ସହିତ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌, ଶ୍ରେଷ୍ଠ ବୋଲର ଓ ମ୍ୟାନ୍‌ ଅଫ ଦ ସିରିଜ୍‌ ଭଳି ପୁରସ୍କାର ମଧ୍ୟ ପ୍ରଦାନ କରାଯିବ । ପ୍ରତିଯୋଗିତାର ସମସ୍ତ ଖେଳ ଓ କାର୍ଯ୍ୟକ୍ରମ ପାଇଁ ଗଠିତ ଛାତ୍ରମାନଙ୍କ ଆୟୋଜନ ସମିତିର ଅଧ୍ୟକ୍ଷ ଭାବେ ବିଶ୍ୱଜିତ ପଲାଇ ଏବଂ ଉପାଧ୍ୟକ୍ଷ ଉତ୍କଳ କେଶରୀ ମିଶ୍ର, ସମ୍ପାଦକ ରାହୁଲ ଅଗ୍ରୱାଲ ଏବଂ କୋଷାଧ୍ୟକ୍ଷ ଭାବେ ସୌମ୍ୟରଞ୍ଜନ ମହାପାତ୍ର ରହିଛନ୍ତି । ଏହା ସହିତ କାର୍ଯ୍ୟକ୍ରମ ସଂଯୋଜନାରେ ସୌମ୍ୟ ରଞ୍ଜନ ସାହୁ, ଅଜୁ ମେହେର ଓ ସମ୍ପଦ ପଟେଲ ରହିଛନ୍ତି ।

Leave A Reply

Your email address will not be published.