csstore

ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ କନ୍ୟାସନ୍ତାନ ଦିବସ ମହାସମାରୋହରେ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ବଲାଙ୍ଗିର ସମଗ୍ର ଶିକ୍ଷା ତରଫରୁ ବାଳିକାମାନେ ସମ୍ମୁଖୀନ ହେଉଥିବାବା ଆହ୍ୱାନର ମୁକାବିଲା କରିବା, ବାଲ୍ୟବିବାହ ନିଷେଧ ଉପରେ ସଚେତନତା, ସୁସ୍ଥ ସମାଜ ଗଠନରେ କନ୍ୟା ସନ୍ତାନର ଆବଶ୍ୟକତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ କନ୍ୟାସନ୍ତାନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ଲଷ୍ମୀ ସିଂ ଯୋଗଦେଇ ଛାତ୍ରୀମାନଙ୍କୁ ବାଳିକା ସୁରକ୍ଷା ସମ୍ବନ୍ଧୀୟ ତଥ୍ୟ ଏବଂ ଭବିଷ୍ୟତର ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ମେହେର, ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା, ସମଗ୍ର ଶିକ୍ଷା ଶିକ୍ଷାତତ୍ୱ ସଂଯୋଜିକା ଡା. ମଧୁମିତା ଦାଶ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ । ସମଗ୍ର ଶିକ୍ଷା ବଲାଙ୍ଗିର ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକ ସ୍ତରରୁ ବରିଷ୍ଠ ଓ କନିଷ୍ଠ ବର୍ଗର ୮ ଜଣ ଲେଖାଏଁ ଛାତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ତର୍କ, ଚିତ୍ରାଙ୍କନ, ସ୍ଲୋଗାନ ଲିଖନ, କ୍ଵିଜ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଉପଲକ୍ଷେ ଆୟୋଜିତ ସଚେତନତା ରାଲିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ କର୍ମଚାରୀ, ବଲାଙ୍ଗିର ସମଗ୍ର ଶିକ୍ଷାର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.