- ନଗଦ ୩୯୫୦ ଟଙ୍କା, ୩ ମୋବାଇଲ ଓ ୪ ବାଇକ୍ ଜବତ
- ଆଜି ଗିରଫ ପରେ ହେବେ କୋର୍ଟ ଚାଲାଣ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଆର୍ଏମ୍ସି ଗୋଦାମରେ ପ୍ରତିଦିନ ଜୁଆ ଖେଳ ଚାଲିଥିବା ଅଭିଯୋଗ ପାଇ ଜୁଆ ଆଡ୍ଡାରେ ପୁଲିସ ଚଢାଉ କରି ନିଜକୁ ସାମ୍ୱାଦିକ କହୁଥିବା ୨ ଜଣଙ୍କ ସହ ୪ ଜଣଙ୍କୁ ଥାନାରେ ଅଟକ ରଖିବା ସହ ନଗଦ ଟଙ୍କା, ମୋବାଇଲ ଓ ବାଇକ୍ ଜବତ କରିଛି । ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆର୍ଏମ୍ସି ଗୋଦାମ ନିକଟରେ ସବୁଦିନ ଜୁଆ ଖେଳ ଚାଲିଥିବା ପୁଲିସ ଅଭିଯୋଗ ପାଇ ଚଢାଉ କରିଥିଲା । ଜୁଆ ଖେଳ ଖେଳୁଥିବା ବେଳେ ନିଜକୁ ଦୈନିକ ସକାଳର ବ୍ଲକ ସାମ୍ୱାଦିକ ବୋଲାଉଥିବା ମୁରିବାହାଲ ବଜାରପଡ଼ାର ସ୍ୱର୍ଗତ କେଳୁଚରଣ ବଡଜେନାଙ୍କ ବଡ଼ପୁଅ କେଦାର ବଡ଼ଜେନା(୪୬), ନିଜକୁ ସାମ୍ବାଦିକ ବୋଲାଉଥିବା ମୁରିବାହାଲ ବସ୍ତିର ସ୍ୱର୍ଗତ ଶ୍ୟାମସୁନ୍ଦର ମେହେରଙ୍କ ସାନପୁଅ ତରଣୀସେନ ମେହେର(୩୮), ସେହି ବସ୍ତିର ସ୍ୱର୍ଗତ ଘୁଟୁ ସାଣ୍ଡଙ୍କ ମଝିଆ ପୁଅ ମାନପତି ସାଣ୍ଡ(୫୦) ଓ ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ଗ୍ରାମର କୃପା ସାଙ୍କ ପୁଅ ଭକ୍ତ ସା(୩୩)ଙ୍କୁ ଆଣି ଥାନରେ ଅଟକ ରଖିଛି ବୋଲି ଜଣାପଡିଛି । ପୁଲିସ ଚଢାଉ ବେଳେ ଆଉ ଜଣେ ହଳଦୀ, ତେନ୍ତୁଳିଖୁଣ୍ଟି ଗ୍ରାମର ବିଶିକେଶନ ପଟ୍ଟନାୟକଙ୍କ ବଡ଼ପୁଅ କେଶବ ପଟ୍ଟନାୟକ (୩୫) ଜୁଆ ଖେଳୁଥିବା ଟଙ୍କା ବ୍ୟାଗ୍ ଧରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲା । ପୁଲିସ ସେମାନଙ୍କଠାରୁ ଏକ ଗାମୁଛା, ତାସ, ନଗଦ ୩୯୫୦ଟଙ୍କା, ୩ଟି ମୋବାଇଲ, ୪ଟି ବାଇକ୍ (ଓଡି ୦୩ ଏମ୍ ୪୪୮୬), (ଓଡି ୦୩ ଜି ୦୨୯୮),(ଓଆର୍ ୦୩ ଏ ୮୩୭୨), ଓ (ଓଡ଼ି ୨୬ ଏଫ୍ ୬୫୪୮)କୁ ଜବତ କରିଛି । ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନଙ୍କ ନେତୃତ୍ୱରେ ଚାଲିଥିବା ଏହି ଚଢ଼ାଉରେ ଥାନାର ସମସ୍ତ ପୁଲିସ କର୍ମଚାରୀ ସାମିଲ ହୋଇଥିଲେ । ଏସମ୍ପର୍କରେ ମୁରିବାହାଲ ଥାନାରେ କେଶ ନଂ ୩୩୭/୨୪ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି । ଆଜି ମଙ୍ଗଳବାର ଅଟକ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି । ନିଜକୁ ସାମ୍ବାଦିକ କହୁଥିବା ଯୁବକମାନଙ୍କ ଏଭଳି ଘୃଣ୍ୟ କାମକୁ ସବୁଠି ନିନ୍ଦା କରାଯାଉଛି । ଘଟଣାଟି ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।