ହଳଦୀର ଯୁବକ ନାରାୟଣ ପୋଡ଼ଙ୍କ ଅସ୍ୱାଭାବିକ ମୃତ୍ୟୁ : ଥାନାରେ ଅପମୃତ୍ୟୁ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ଗ୍ରାମର ନାରାୟଣ ପୋଡ଼ (୪୦) ନାମକ ଜଣେ ବିବାହିତ ଯୁବକଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବା ବେଳେ ଏସମ୍ପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ହଳଦୀ ଗ୍ରାମର କାଳିଆ ପୋଡଙ୍କ ପୁଅ ନାରାୟଣ ପୋଡ଼ ହଳଦୀ ଜାତୀୟ ରାଜପଥ ପାଖରେ ମାଂସ କାଟିବା ସହ ଏକ ଢ଼ାବା ଦେଇଥିଲେ । ବୁଧବାର ଗ୍ରାମର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ କୌଣସି ଏକ ବିଷୟକୁ ନେଇ ତାଙ୍କର ଏତଲାର ସମାଧାନ କରିବାକୁ ସେ ଅନ୍ୟ ଗ୍ରାମବାସୀଙ୍କ ସହ ଥାନାକୁ ଯାଇଥିବା ବେଳେ ଥାନାରେ ଉଭୟ ପକ୍ଷ ଆପୋଷ ବୁଝାମଣା ହୋଇ ଘରକୁ ଫେରିଥିଲେ । ଘରେ ଖାଇପିଇ ଶୋଇଥିବା ବେଳେ ରାତିରେ ଅସୁସ୍ଥ ଅନୁଭବ କରିଥିଲେ । ତାଙ୍କୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଟିଟିଲାଗଡ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଥିଲା । ସେ ଦୀର୍ଘଦିନରୁ ସିକଲିନ ଓ କିଡନୀ ରୋଗରେ ଚିକିତ୍ସିତ ହେଉଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଡାକ୍ତରଙ୍କଠାରୁ ସୂଚନା ପାଇ ମୁରିବାହାଲ ଥାନା ପୁଲିସ ମେଡ଼ିକାଲରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମୃତ ନାରାୟଣଙ୍କ ଘରେ ପତ୍ନୀ, ଜଣେ ୧୩ ବର୍ଷର ପୁଅ ଓ ଜଣେ ୯ ବର୍ଷର ଝିଅ ଅଛନ୍ତି । ଶବ ଆଣି ଅତ୍ୟନ୍ତ ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କର ଦାହସତ୍କାର କରାଯାଇଥିଲା । ତାଙ୍କ ପୁଅ ମୁଖାଗ୍ନି ଦେଇଥିଲେ । ନାରାୟଣଙ୍କ ଆକସ୍ମିକ ଅକାଳ ବିୟୋଗରେ ସମଗ୍ର ହଳଦୀ ଅଞ୍ଚଲରେ ଅତ୍ୟନ୍ତ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏସମ୍ପର୍କରେ ଥାନାରେ ଅପମୃତ୍ୟୁ କେଶ ନଂ ୨୦/୨୪ ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ସବ୍‌ଇନ୍ସପେକ୍ଟର ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.