ବରଗଡ଼-ନୂଆପଡ଼ା ରେଳପଥ କାର୍ଯ୍ୟ ତରାନ୍ୱିତ କରିବାକୁ ପୂର୍ବତଟ ରେଳବାଇ ଜିଏମ୍‌ଙ୍କୁ ଭେଟିଲେ ସାଂସଦ ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼-ନୂଆପଡ଼ା ରେଳ ଲାଇନ୍ କାର୍ଯ୍ୟ ତରାନ୍ୱିତ କରିବା ନେଇ ଆଜି ପୂର୍ବତଟ ରେଳବାଇ ଜେନେରାଲ୍ ମ୍ୟାନେଜର ପରମେଶ୍ୱର ଫୁଙ୍କୱାଲଙ୍କ ସହ ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ସବିଶେଷ ଆଲୋଚନା କରିଛନ୍ତି । ଏହି ଅବସରରେ ଶ୍ରୀ ଫୁଙ୍କୱାଲ୍ କହିଛନ୍ତି ଯେ, ରେଲୱେ ଆକ୍ଟ ଅନ୍ତର୍ଗତ ସ୍ୱତନ୍ତ୍ର ରେଳ ପ୍ରକଳ୍ପ ଭାବେ ୧୩୮ କିଲୋମିଟର ଦୀର୍ଘ ଏହି ରେଳପଥର ଘୋଷଣା ହୋଇଛି ଓ ଏଥିପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲୁ କରାଯାଉଛି । ଏଥିପାଇଁ ଜଣେ ମୁଖ୍ୟ ଯନ୍ତ୍ରୀ ଓ ଜଣେ ଉପମୁଖ୍ୟ ଯନ୍ତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ନିଯୁକ୍ତ କରାଯାଇଛି । ସେହିପରି ବରଗଡ଼ ଉପଜିଲ୍ଲାପାଳ ଜମି ଅଧିଗ୍ରହଣ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଶେରୀ ଫୁଙ୍କୱାଲ୍ କହିଛନ୍ତି । ଏହି ସାକ୍ଷାତ କାଳରେ ସାଂସଦ ପ୍ରଦୀପ ପୁରୋହିତ ରେଳପଥରେ ଆସୁଥିବା ଜିରା ଓ ଅଙ୍ଗନଦୀ ଉପରେ ଦୁଇ ପ୍ରମୁଖ ପୋଲ ପ୍ରସଙ୍ଗ ଉଠାଇଥିଲେ । ଏହା ବରଗଡ଼ ଜିଲ୍ଲାବାସୀଙ୍କ ବହୁଦିନର ସ୍ୱପ୍ନ ଥିଲା । ତେଣୁ ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ପଶ୍ଚିମ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ସାଂସଦ କହିଥିଲେ । ଏହି ଅବସରରେ ଅନୁଗୁଳ-ସୁକିନ୍ଦା ରେଲୱେର ମ୍ୟାନେଜିଂ ଡାଇରେକ୍ଟର ଦିଲ୍ଲୀପ ସାମନ୍ତରାୟ ଓ ନିର୍ମାଣ ବିଭାଗ ମୁଖ୍ୟ ପ୍ରଶାସନିକ ଅଧିକାରୀ ଗୌତମ ଶ୍ରୀନିବାସ ଉପସ୍ଥିତ ଥିଲେ ।

Leave A Reply

Your email address will not be published.