ସମାଜ, ସଂସ୍କାର ଓ ଧାର୍ମିକ ପରମ୍ପରା

ରାଉରକେଲା, (ସସ୍ମିତା ପ୍ରଧାନ) : ନବରାତ୍ର ଆସିଲେ ପ୍ରତିଥର ବିଧର୍ମୀ ମାନଙ୍କ ଦ୍ଵାରା ଗୋଟିଏ ପ୍ରକାର ନକରାତ୍ମକ ପ୍ରଚାର ଚାଲେ । ଯେଉଁ ଦେଶରେ ନାରୀ ମାନଙ୍କ ପ୍ରତି ଅପରାଧ ଓ ଦୁଷ୍କର୍ମ ହେଉଛି ସେଠି ନାରୀଙ୍କୁ ପୂଜା କରାଯାଉଛି । ବର୍ଷ ସାରା ନାରୀଙ୍କ ପ୍ରତି ଅବିଚାର ଓ ଦୁର୍ବ୍ୟବହାର କରି ୯ ଦିନ ପୂଜା କରିବା ଗୋଟେ ପ୍ରକାର ପ୍ରପଞ୍ଚ, ଏଭଳି କେତେ କଣ କଥା । ଏହିଭଳି ବକବାସ ସହିତ କୁତ୍ସିତ କାର୍ଟୁନ ଏବଂ ଦେବୀଙ୍କୁ ବିଭିନ୍ନ କ୍ଷତ ଓ ଦୁଃଖିତ ମୁଦ୍ରାରେ, କେବେ ବିନା ଆୟୁଦ୍ଧରେ ଚିତ୍ରିତ କରି ପ୍ରଚାର ଚାଲେ । ସେହିଭଳି ମନ୍ଦବୁଦ୍ଧିଙ୍କୁ ନିକଟରେ କେତୋଟି ପ୍ରଶ୍ନ କରିଥିଲି । ଯେମିତିକି ସବୁ ଅପରାଧର ଦାୟିତ୍ୱ ହିନ୍ଦୁ ଦେବାଦେବୀଙ୍କ ମୁଣ୍ଡରେ କାହିଁକି ଲଦାହେବ ? ଦ୍ଵିତୀୟରେ ଯେଉଁ ଦେଶ ଗୁଡ଼ିକରେ ଦେବୀ ଉପାସନା ହେଉନାହିଁ ସେଠି କଣ ନାରୀ ମାନଙ୍କ ସହିତ କୌଣସି ଅତ୍ୟାଚାର ହେଉନାହିଁ କି ? ସବୁ ଜ୍ଞାନ କେବଳ ହିନ୍ଦୁ ପର୍ବ ଓ ପରମ୍ପରା କୁ ନେଇ କାହିଁକି ? ଏହିଭଳି ଆହୁରି ଅନେକ ପ୍ରଶ୍ନ । ତେବେ, ଆଜି ବର୍ଦ୍ଧିଷ୍ଣୁ ଅପରାଧର ବିଭିନ୍ନ କାରଣ ଓ ଏହାକୁ ରୋକିବା ପାଇଁ କିଛି ପ୍ରସ୍ତାବ ଉପରେ ଆଲୋଚନା କରିବା । ଉପରେ ଗୋଟିଏ ଫୋଟୋ ଦେଖନ୍ତୁ । ଫୋଟୋରେ ନବରାତ୍ର ସମୟରେ କନ୍ୟାପୂଜନର ଦୃଶ୍ୟ ରହିଛି । ସେଇ ଫୋଟୋକୁ ଦେଖି ଚିନ୍ତା କରି କୁହନ୍ତୁ, କନ୍ୟା ପୂଜା କରୁଥିବା ସେହି ପୁରୁଷଟି କେବେ ସେହି ୯ ଜଣ କନ୍ୟାଙ୍କ ଭିତରୁ କାହାରି ପ୍ରତି ଅସଦ ବ୍ୟବହାର କରିପାରିବେ କି ? ଉତ୍ତର ନିଶ୍ଚିତ ଭାବରେ ନାରେ ମିଳିବ । ଭାବି ଦେଖନ୍ତୁ, ବର୍ଷରେ ଦୁଇଥର ନବରାତ୍ର ପାଳନ ହୁଏ ଏବଂ ପ୍ରତିଥର ଅଷ୍ଟମୀ / ନବମୀ ତିଥିରେ ନ’ଜଣ କୁମାରୀ କନ୍ୟାଙ୍କୁ ଦେବୀ ମା’ଙ୍କ ସ୍ୱରୂପ ଭାବେର ବିଚାର କରି ପୂଜା କରାଯାଇଥାଏ । ଯଦି ପ୍ରତ୍ୟେକ ପରିବାରରେ କନ୍ୟା ପୂଜନ କରାଯାଏ, ତେବେ କେତେ ଝିଅଙ୍କୁ ସୁରକ୍ଷା ଓ ସମ୍ମାନର ଉପହାର ମିଳିପାରିବ ସେକଥା ଚିନ୍ତା କରନ୍ତୁ । ଆମେ ଆମ ଧର୍ମ, ସଂସ୍କାର ଓ ପରମ୍ପରା ଠାରୁ କ୍ରମଶଃ ଦୂରେଇ ଯିବା ଯୋଗୁଁ ଆଜି ବିକାର ଓ ପାଶବିକ ପ୍ରବୃତ୍ତି ବଢିଛି ଆମ ମାନଙ୍କ ଭିତରେ । ଯାହାର ଫଳ ସ୍ୱରୂପ ଏଭଳି ସାମାଜିକ ଦୁଃସ୍ଥିତି ମାନ ଉତ୍ପନ୍ନ ହୋଇଛି ଓ ବଢୁଛି । ଏଥିରୁ ନିସ୍ତାରଣ ଦିନ କେଇଟା ରେ ସମ୍ଭବ ନୁହେଁ । ଏଥିପାଇଁ ସମୟ ଲାଗିବ କିନ୍ତୁ ସମ୍ଭବ । ମୁଁ ବାରମ୍ବାର କହେ ଆଇନ କିମ୍ବା ସରକାର ନୁହେଁ ସଂସ୍କାର ହିଁ ଏଭଳି ଅପରାଧକୁ ରୋକିବାରେ ସଫଳ ହେବ । ଆମକୁ ପୁଣି ଥରେ ଆମ ମୌଳିକ ଧାର୍ମିକ ସଂସ୍କାର ଆଡକୁ ଫେରିଯିବାକୁ ହେବ । ନିଜ ଘରେ ନବରାତ୍ର ପୂଜା କରନ୍ତୁ । ଅଷ୍ଟମୀ କିମ୍ବା ନବମୀ ଦିନ କୁମାରୀ କନ୍ୟା ମାନଙ୍କୁ ନିମନ୍ତ୍ରଣ କରି କନ୍ୟା ପୂଜନ ଅନୁଷ୍ଠାନ କରନ୍ତୁ । ତାସହିତ କନ୍ୟା ପୂଜନ କାର୍ଯ୍ୟ ପରିବାରର ସମସ୍ତ ପୁରୁଷ ସଦସ୍ୟଙ୍କ ହାତରେ ମଧ୍ୟ କରାନ୍ତୁ । ଘରର ମହିଳା ମାନେ ସମସ୍ତ ପ୍ରସ୍ତୁତି ଓ ପୂଜନରେ ସହାୟତା କରନ୍ତୁ । କେବଳ ଗୀତା ଭାଗବତ ପଢିଲେ ସଂସ୍କାର ଆସିବା ବିଳମ୍ବିତ ହୋଇପାରେ କିନ୍ତୁ ଦୈନନ୍ଦିନ ଜୀବନରେ ଏଭଳି ସଂସ୍କାରକୁ କର୍ମରେ ପ୍ରୟୋଗ କଲେ ତାହାର ତ୍ୱରିତ ଏବଂ ଅଧିକ ପ୍ରଭାବ ପଡିଥାଏ ।

Leave A Reply

Your email address will not be published.