ମୁରିବାହାଲରେ ୧୧ ଟିକିଆ ବଣୁଆ ହାତୀପଲ : ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ୨ ସାଇକେଲ ଆରୋହୀ

  • ସାଇକେଲ ଚୁରମାର, କପା ଚାଷ ନଷ୍ଟ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ବନଖଣ୍ଡ ମୁରିବାହାଲ ରେଞ୍ଜ ତିଖାଲୀ ସଂରକ୍ଷିତ ଜଙ୍ଗଲରେ ଏକ ୧୧ ଟିକିଆ ବଣୁଆ ହାତୀପଲ ଦେଖିବାକୁ ମିଳିଛି । ସଇଁତଳା ରେଞ୍ଜ ଅଞ୍ଚଳରୁ ଏହି ହାତୀପଲ ମୁରିବାହାଲ ରେଞ୍ଜ ଅଞ୍ଚଳ ଭିତରକୁ ପଶି ଆସିଥିବା ଜଣାପଡ଼ିଛି । ମଙ୍ଗଳବାର ବଡିଭୋରରୁ ହାତୀପଲ ତିଖାଲି ଜଙ୍ଗଲ ଅନ୍ତର୍ଗତ ମୁରିବାହାଲ ସେକ୍ସନ ଘୁଶୁରାମୁଣ୍ଡା, ବାରବନ୍ଧ, ବେହେରାଖାଇ, ସୁକୁନିପଦର, ସୁରମା ଖାଦାନ ଜଙ୍ଗଲ ଅଞ୍ଚଳ ଦେଇ ସନ୍ଧ୍ୟା ବେଳକୁ ଦାଢିଆପଦର, ପେରୁଆମାଲ ଅଞ୍ଚଳରେ ଶେଷ ଖବର ସୁଦ୍ଧା ଥିବା ଜଣାପଡିଥିଲା । ଦାଢ଼ିଆପଦର ଗ୍ରାମର ୨ ଜଣ ସାଇକେଲ ଆରୋହୀ ସକାଳେ ଖଲିଦନା ନେଇ ଯାଉଥିବା ବେଳେ ବାଟରେ ହାତୀ ହାବୁଡ଼ରେ ପଡ଼ିଥିଲେ । ସେମାନେ ଉଭୟ ସାଇକେଲ୍ ଛାଡ଼ି ଦୌଡ଼ି ପଳାଇଥିଲେ । ସାଇକେଲ ଦୁଇଟିକୁ ହାତୀ ଭାଙ୍ଗିରୁଜି ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି । ସେହିପରି ବାରବନ୍ଧ ଅଞ୍ଚଳର ଏକ କପା କିଆରିରେ ପଶି କପା ଫସଲ ନଷ୍ଟ କରିଥିବା ବେଳେ କିଆରିରେ ମଳତ୍ୟାଗ ମଧ୍ୟ କରିଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ମୁରିବାହାଲ ରେଞ୍ଜର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ରେଞ୍ଜର ସଚିଦାନନ୍ଦ ସୁବୁଦ୍ଧି ଜଙ୍ଗଲ ବିଭାଗ ପକ୍ଷରୁ ହାତୀମାନଙ୍କ ଗତିବିଧି ସମ୍ପର୍କରେ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରକାଶ କରିଛନ୍ତି । ଆଜି ମଙ୍ଗଳବାର ରାତି ସାଢ଼େ ୮ଟାରେ ହାତୀପଲ ମୁରିବାହାଲ ସଦର ମହକୁମାରେ ଥିବା ଦେଖିବାକୁ ମିଳିଥିଲା । ଏକ ଦମ୍ପତି ଓ ୨ ଜଣ ବାଇକ୍ ଆରୋହୀ ମୁରିବାହାଲ ସ୍ଥିତ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ଥାନା ମଝି ଦେଇ ହାତୀ ରାସ୍ତା ପାର ହେଉଥିବା ବେଳେ ସାମ୍ନାସାମ୍ନି ହୋଇଯାଇ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ନିଜେ ପ୍ରକାଶ କରିଛନ୍ତି । ସେହିପରି ହାତୀ ଚଳାଚଳ କରୁଥିବା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଥିବା ତଥା ବିଦ୍ୟୁତ୍‌ ଗଲେ ମୋବାଇଲ ନେଟୱର୍କ ବ୍ୟବସ୍ଥା ମଧ୍ୟ ବ୍ୟାଘାତ ସ୍ତୃଷ୍ଟି ହେଉଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ଏହି ହାତୀପଲକୁ ଜଙ୍ଗଲ ବିଭାଗ ପକ୍ଷରୁ ଘଉଡାଇବାକୁ ମୁରିବାହାଲ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି ।

Leave A Reply

Your email address will not be published.