ଦିବ୍ୟାଙ୍ଗଜନ ସଶକ୍ତିକରଣ ସଂସ୍ଥାର ସେବା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠ କେନ୍ଦ୍ରିୟ ବିଦ୍ୟାଳୟ ପାଖରେ ଦିବ୍ୟାଙ୍ଗଜନମାନଙ୍କ ସଶକ୍ତିକରଣ ତଥା ପୁନର୍ବାସ ପାଇଁ ଭାରତ ସରକାରଙ୍କ ସାମାଜିକ ନ୍ୟାୟ ବିଭାଗ ତରଫରୁ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ଓ ଅନୁସଂଧାନ ସଂସ୍ଥାନ ଖୋଲାଯାଇଛି । ଏ ଘରେ ଦିବ୍ୟାଙ୍ଗଜନମାନଙ୍କୁ ବିବିଧ ଉପକରଣ ମାଗଣାରେ ଯୋଗାଇ ଦେବା ସହ ସେମାନେ ଆତ୍ମ ନିର୍ଭରଶୀଳ ହେବା ପାଇଁ ବିଭିନ୍ନ ଧନ୍ଦାମୂଳକ ଶିକ୍ଷା ଦିଆଯାଉଛି । ସମସ୍ତଙ୍କ ପାଇଁ ଫିଜିଓଥେରାଫିର ବ୍ୟବସ୍ଥା କରିଛନ୍ତି କିନ୍ତୁ ନିର୍ଦ୍ଧାରିତ ଫିଜ୍‌ ଦେବାକୁ ପଡିବ । ଏ ବିଷୟରେ ନାଗରିକ କମିଟୀ ଅନୁଧ୍ୟାନ କରି ମାଗଣାରେ କିମ୍ବା ଅଳ୍ପ ଖର୍ଚ୍ଚରେ ଲୋକେ କିପରି ଫିଜିଓଥେରାଫି କରି ପାରିବେ, ସେଥିପାଇଁ ପଦକ୍ଷେପ ନେବା ପାଇଁ ପ୍ରସ୍ତାବ ହୋଇଥିଲା । ସଭାପତି ଡଃ. ଶ୍ରୀକର ମିଶ୍ର ଓ ସ୍ୱାସ୍ଥ୍ୟ ସେବା କମିଟିର ଆବାହକ ଡଃ. ପ୍ରମୋଦ କୁମାର ମିଶ୍ର ଉକ୍ତ ସଂସ୍ଥାକୁ ଯାଇ ତାଙ୍କ ଫିଜିଓଥେରାଫି ଅଧ୍ୟାପକ ବିଶ୍ୱଜିତ କାନୁନ୍‌ଗୋ ଓ ପୁନଃର୍ବାସ ଅଧିକାରୀ ସୌମ୍ୟଶେଖର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ସଂସ୍ଥାରେ ଛୋଟ ଛୋଟ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ସୁନ୍ଦର ଭାବରେ ସେବା କରୁଥିବା ବେଳେ ମାଟ୍ରିକ ପାସ କରିଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଆତ୍ମନିର୍ଭର ପାଇଁ ସିଲେଇ ଶିକ୍ଷା ନେଉଥିବାର ଜଣାଯାଇଛି । ନାଗରିକ କମିଟିର ସଭାପତି ଲେଖା ମାଧ୍ୟମରେ ତାଙ୍କର ସୁବିଧା ଅସୁବିଧା ପଚାରିଥିଲେ ଏବଂ ସେମାନେ ଖୁସି ପ୍ରକାଶ କରିଥିଲେ । ଶେଷରେ ଫିଜିଓଥେରାଫି କେନ୍ଦ୍ରକୁ ଯାଇ ଆଲୋଚନା କରାଥିଲେ । ଯେଉଁମାନେ ଫିଜିଓଥେରାଫି କରୁଥିଲେ, ତାଙ୍କୁ ପଚାରିବାରେ ସେମାନେ ବାହାର ଅପେକ୍ଷା ଏଠାରେ ଅଳ୍ପ ଖର୍ଚ୍ଚରେ ଥେରାଫି କାମ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଶେଷରେ ସଂସ୍ଥାର ନିର୍ଦ୍ଦେଶକ ଗୁରବକ୍ସ ଚାନ୍ଦ ଯଗୋତାଙ୍କ ସହ ଆଲୋଚନା ବେଳେ ଜଣାପଡିଲା ଯେ, ସରକାରଙ୍କ ତରଫରୁ ଗୋଟିଏ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି ଏବଂ ସେହି କମିଟି ନିର୍ଦ୍ଧାରଣ କରିଥିବା ଫିଜ୍‌ ନିଆ ଯାଉଥିବା ପ୍ରକାଶ କରିଥିଲେ ଏବଂ ସେହି ଆଦେଶର ଏକ ନକଲ ମଧ୍ୟ ପ୍ରଦାନ କରିଥିଲେ । ଯେଉଁମାନେ ବି.ପି.ଏଲ କିମ୍ବା ଦିବ୍ୟାଙ୍ଗ ତାଙ୍କୁ ମାଗଣା ବାକି ସମସ୍ତଙ୍କୁ ନିର୍ଦ୍ଧାରିତ ଫିଜ୍‌ ଦେବାକୁ ପଡିବ ଯାହାକି ପ୍ରାଇଭେଟ ଫିଜିଓଥେରାପି କେନ୍ଦ୍ର ଅପେକ୍ଷା ଏହି ସରକାରୀ କେନ୍ଦ୍ରର ଫିଜ୍‌ ବହୁତ କମ ଥିବା ନାଗରିକ କମିଟି ଜାଣିବାକୁ ପାଇଥିଲେ । ତେବେ ଉକ୍ତ ସଂସ୍ଥା ଯୋଗାଉଥିବା ସେବା ଗୁଡିକ ପାଇବା ପାଇଁ ସଚେତନତାର ଅଭାବ ଥିବା ଜଣାଯାଇଥିଲା ।

Leave A Reply

Your email address will not be published.