ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ମହମ୍ମଦ ମୁଇଜୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ୍ ବିବୃତି

ନୂଆଦିଲ୍ଲୀ, (ପିଆଇବି) : ମହାମହିମ, ରାଷ୍ଟ୍ରପତି ମୁଇଜୁ, ଉଭୟ ଦେଶର ପ୍ରତିନିଧି, ଗଣମାଧ୍ୟମର ସାଥୀଗଣ, ସମସ୍ତଙ୍କୁ ନମସ୍କାର
ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ମୁଇଜ୍ଜୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳକୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଭାରତ ଓ ମାଳଦ୍ୱୀପ ସମ୍ପର୍କ ଶହ ଶହ ବର୍ଷ ପୁରୁଣା । ଆହୁରି ଭାରତ ମାଳଦ୍ୱୀପର ସବୁଠୁ ନିକଟତମ ପଡ଼ୋଶୀ ଏବଂ ଘନିଷ୍ଠ ବନ୍ଧୁ ରାଷ୍ଟ୍ର । ଆମର ‘‘ପଡ଼ୋଶୀ ପ୍ରଥମ’’ ନୀତି ଏବଂ ‘‘ସାଗର’’ ଭିଜନରେ ମାଳଦ୍ୱୀପର ମହତ୍ୱପୂର୍ଣ୍ଣ ସ୍ଥାନ ରହିଛି । ଭାରତ ସବୁବେଳେ ମାଳଦ୍ୱୀପ ପାଇଁ ପ୍ରଥମ ସହାୟତାକାରୀ ଭୂମିକା ନିର୍ବାହ କରିଛି । ମାଳଦ୍ୱୀପର ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଆବଶ୍ୟକତା ପୂରଣ କରିବା ହେଉ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପିଇବା ପାଣି ଯୋଗାଣ ହେଉ, କୋଭିଡ ସମୟରେ ଟିକା ଯୋଗାଇ ଦେବା ହେଉ, ଭାରତ ସବୁବେଳେ ନିଜ ପଡ଼ୋଶୀ ହେବାର ଦାୟିତ୍ୱ ନିର୍ବାହ କରିଛି । ଆଉ ଆଜି ଆମେ ଆପୋସ ସହଯୋଗକୁ ରଣନୀତିକ ମାର୍ଗ ଦେବା ଲାଗି, ‘ବିସ୍ତୃତ ଆର୍ଥିକ ଏବଂ ସାମୁଦ୍ରିକ ସୁରକ୍ଷା ଭାଗିଦାରୀ’ ସଂକଳ୍ପ ଆପଣାଇଛୁ ।
ବନ୍ଧୁଗଣ,
ବିକାଶମୂଳକ ଭାଗିଦାରୀ ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଆଉ ଆମେ, ଏଥିରେ ସବୁବେଳେ ମାଳଦ୍ୱୀପର ଲୋକଙ୍କ ପ୍ରାଥମିକତାକୁ ପ୍ରାଧାନ୍ୟ ଦେଇଛୁ । ଚଳିତ ବର୍ଷ ଏସ୍‌ବିଆଇ ମାଳଦ୍ୱୀପର ୧୦୦ ନିୟୁତ ଡଲାର ‘ଟ୍ରେଜରୀ ବିଲ୍ସ’କୁ ରୋଲ ଓଭର୍ କରିଛି । ଆଜି ମାଳଦ୍ୱୀପର ଆବଶ୍ୟକତା ଅନୁସାରେ, ୪୦୦ ନିୟୁତ ଡଲାର ଏବଂ ତିନି ହଜାର କୋଟି ଟଙ୍କାର ମୁଦ୍ରା ଅଦଳବଦଳ ରାଜିନାମା ମଧ୍ୟ ସମ୍ପାଦିତ ହୋଇଛି । ମାଳଦ୍ୱୀପରେ ଭିତ୍ତିଭୂମି ବିକାଶ ପାଇଁ ଅଧିକ ସହଯୋଗ ବିଷୟରେ ଆମେ ଆଲୋଚନା କରିଛୁ । ଆଜି ଆମେ ପୁନର୍ବିକଶିତ ହନିମାଧୁ ବିମାନବନ୍ଦରକୁ ଉଦ୍‌ଘାଟନ କରିଛୁ । ଏବେ ଗ୍ରେଟର୍ ମାଲେ ଯୋଗାଯୋଗ ପ୍ରକଳ୍ପକୁ ମଧ୍ୟ ତ୍ୱରାନ୍ୱିତ କରାଯିବ । ଥିଲାଫୁଶୀରେ ନୂଆ ବାଣିଜ୍ୟିକ ବନ୍ଦର ବିକାଶରେ ମଧ୍ୟ ସହଯୋଗ ଯୋଗାଇ ଦିଆଯିବ । ଆଜି ଭାରତ ସହଯୋଗରେ ଗଠିତ ୭୦୦ରୁ ଅଧିକ ସାମାଜିକ ଆବାସ ୟୁନିଟ୍ ହସ୍ତାନ୍ତର କରାଯାଇଛି । ମାଳଦ୍ୱୀପର ୨୮ଟି ଦ୍ୱୀପରେ ଜଳ ଏବଂ ସ୍ୱେରେଜ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । ଅନ୍ୟ ୬ଟି ଦ୍ୱୀପର କାମ ମଧ୍ୟ ଖୁବ୍ ଶୀଘ୍ର ଶେଷ ହେବ । ଏହି ପ୍ରକଳ୍ପଗୁଡ଼ିକ ୩୦,୦୦୦ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଣ ସୁନିଶ୍ଚିତ କରିବ । ‘‘ହା ଡାଲୁ’’ରେ କୃଷି ଆର୍ଥିକ ଅଞ୍ଚଳ ପ୍ରତିଷ୍ଠା ଏବଂ ‘‘ହା ଆଲିଫୁ’’ରେ ମାଛ ପ୍ରକ୍ରିୟାକରଣ ସୁବିଧା ପ୍ରତିଷ୍ଠା ପାଇଁ ମଧ୍ୟ ସହାୟତା ଯୋଗାଇ ଦିଆଯିବ । ଓଶିନୋ-ଗ୍ରାଫି ଓ ନୀଳ ଅର୍ଥବ୍ୟବସ୍ଥାରେ ମଧ୍ୟ ଆମେ ସାଥୀ ହୋଇ କାମ କରିବୁ ।
ବନ୍ଧୁଗଣ,
ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଆମେ ମୁକ୍ତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛୁ । ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟ ବୁଝାମଣା ଉପରେ ମଧ୍ୟ କାର୍ଯ୍ୟ କରାଯିବ । ଆମେ ଡିଜିଟାଲ ସଂଯୋଗ ଉପରେ ମଧ୍ୟ ଧ୍ୟାନ ଦେଇଛୁ । କିଛି ସମୟ ପୂର୍ବରୁ ମାଳଦ୍ୱୀପରେ ରୁପେ କାର୍ଡ ଶୁଭାରମ୍ଭ କରାଯାଇଛି । ଆଗାମୀ ଦିନରେ ଭାରତ ଓ ମାଳଦ୍ୱୀପକୁ ମଧ୍ୟ ୟୁପିଆଇ ସହ ଯୋଡିବା ପାଇଁ କାମ କରାଯିବ । ‘‘ଆଡ୍ଡୁ’’ରେ ଏକ ନୂତନ ଭାରତୀୟ ଦୂତାବାସ ଏବଂ ବେଙ୍ଗାଲୁରୁରେ ମାଳଦ୍ୱୀପର ଏକ ନୂତନ ଦୂତାବାସ ଖୋଲିବା ଉପରେ ମଧ୍ୟ ଆମେ ଆଲୋଚନା କରିଛୁ । ଏହି ସବୁ ପଦକ୍ଷେପ ଆମ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ପ୍ରୋତ୍ସାହିତ କରିବ ।
ବନ୍ଧୁଗଣ,
ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗର ବିଭିନ୍ନ ଦିଗ ଉପରେ ଆମେ ବିସ୍ତୃତ ଭାବେ ଆଲୋଚନା କରିଛୁ । ଏକତା ହାର୍ବର ପ୍ରକଳ୍ପ କାମ ଦ୍ରୁତଗତିରେ ଚାଲିଛି । ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀର ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶରେ ଆମେ ଆମର ସହଯୋଗ ଜାରି ରଖିବୁ । ଭାରତ ମହାସାଗର ଅଞ୍ଚଳରେ ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆମେ ଏକାଠି କାମ କରିବୁ । ଜଳ ବିଜ୍ଞାନ ଓ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ସହଯୋଗ ବୃଦ୍ଧି କରାଯିବ । କଲମ୍ବୋ ସୁରକ୍ଷା ସମ୍ମିଳନୀରେ ପ୍ରତିଷ୍ଠାତା ସଦସ୍ୟ ଭାବରେ ଯୋଗ ଦେବା ପାଇଁ ମାଳଦ୍ୱୀପକୁ ସ୍ୱାଗତ । ଜଳବାୟୁ ପରିବର୍ତ୍ତନ ଉଭୟ ଦେଶ ପାଇଁ ଏକ ବଡ଼ ଆହ୍ୱାନ । ଏହି ପରିପ୍ରେକ୍ଷୀରେ ଭାରତ ମାଳଦ୍ୱୀପ ସହିତ ସୌର ଏବଂ ଶକ୍ତି ଦକ୍ଷତା କ୍ଷେତ୍ରରେ ଆମର ଅଭିଜ୍ଞତା ବାଣ୍ଟିବାକୁ ପ୍ରସ୍ତୁତ ଅଛି ।
ମହାମହିମ,
ପୁଣି ଥରେ ଆପଣଙ୍କୁ ଏବଂ ଆପଣଙ୍କ ପ୍ରତିନିଧି ଦଳକୁ ଭାରତରେ ଅନେକ ଅନେକ ସ୍ୱାଗତ । ଆପଣଙ୍କ ଗସ୍ତ ଫଳରେ ଆମ ସମ୍ପର୍କରେ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି । ମାଳଦ୍ୱୀପର ଲୋକମାନଙ୍କ ପ୍ରଗତି ଓ ସମୃଦ୍ଧି ଲାଗି ଆମେ ଆମର ଯଥାସମ୍ଭବ ସହାୟତା ଆଗକୁ ଜାରି ରଖିବୁ ।
ଅନେକ ଅନେକ ଧନ୍ୟବାଦ ।

Leave A Reply

Your email address will not be published.