ଏନସିଇଆର୍‌ଟି ଓ ଆମାଜନ ମଧ୍ୟରେ ସହଭାଗିତା ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କଲେ ଧର୍ମେନ୍ଦ୍ର ପ୍ରଧାନ

  • ଆସନ୍ତା ଶିକ୍ଷାବର୍ଷ (୨୦୨୫-୨୬)ରେ ୧୫ କୋଟି ପୁସ୍ତକ ପ୍ରକାଶ କରି ପୁସ୍ତକ ପ୍ରକାଶନକୁ ତିନିଗୁଣ ବଢ଼ାଇବ ଏନ୍‌ସିଇଆର୍‌ଟି : ଧର୍ମେନ୍ଦ୍ର ପ୍ରଧାନ
  • ସର୍ବନିମ୍ନ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି)ରେ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନ୍‌ କୋଡ୍‌ରେ ଉପଲବ୍ଧ ହେବ ପୁସ୍ତକ
  • ଏହି ବୁଝାମଣା ଦ୍ୱାରା ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ଅସଲି ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ଉପଲବ୍ଧତା ସୁନିଶ୍ଚିତ କରିବ
  • ଆମାଜନ୍‌ ସହ ଏନ୍‌ସିଇଆର୍‌ଟିର ଭାଗିଦାରୀକୁ ପ୍ରଶଂସା କରି ଧର୍ମେନ୍ଦ୍ର ପ୍ରଧାନ କହିଲେ, ଏହା ସହଜ ଜୀବନଧାରଣ ଏବଂ ଶିକ୍ଷାର ଉପଲବ୍ଧତା ବୃଦ୍ଧି ଦିଗରେ ଏକ ପଦକ୍ଷେପ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଜି ଏନ୍‌ସିଇଆର୍‌ଟି ଏବଂ ଆମାଜନ ସେଲର୍ସ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ସହଭାଗିତା ବୁଝାମଣାପତ୍ର ବା ଲେଟର ଅଫ୍ ଏନ୍‌ଗେଜମେଣ୍ଟ (ଏଲ୍ଓଇ) ସ୍ୱାକ୍ଷରିତ ହୋଇଛି । ଏହା ହେଉଛି ପ୍ରଥମ ଚୁକ୍ତି, ଯାହା ଏକ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମରେ ମୁଦ୍ରିତ ମୂଲ୍ୟରେ ଅସଲି ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକର ଉପଲବ୍ଧତା ସୁନିଶ୍ଚିତ କରିବ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏଲ୍ଇଏଲ୍) ସଚିବ ସଞ୍ଜୟ କୁମାର, ଯୁଗ୍ମ ସଚିବ ଶ୍ରୀମତୀ ପ୍ରାଚୀ ପାଣ୍ଡେ, ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ ସାକଲାନୀ, ଆମାଜନର ଉପାଧ୍ୟକ୍ଷ ସୌରଭ ଶ୍ରୀବାସ୍ତବ, ଆମାଜନର ପବ୍ଲିକ ପଲିସି ନିର୍ଦ୍ଦେଶକ ଅମନ ଜୈନଙ୍କ ସମେତ ପ୍ରମୁଖ ବ୍ୟକ୍ତିବିଶେଷ ଓ ଅଧିକାରୀମାନେ ଉପସ୍ଥିତ ଥିଲେ । ଆଜିର ପଦକ୍ଷେପ ଶିକ୍ଷାକୁ ସମାବେଶୀ, ସର୍ବସ୍ପର୍ଶୀ ଓ ସୁଲଭ କରିବା ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ର ଲକ୍ଷ୍ୟକୁ ସୁଦୃଢ଼ କରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ସମଗ୍ର ଦେଶରେ ଡିଜିଟାଲ ପ୍ରସାର ବୃଦ୍ଧି ପାଉଥିବାରୁ ଏହି ପଦକ୍ଷେପ ସରକାରଙ୍କ ‘ସହଜ ଜୀବନଯାପନ’ ଲକ୍ଷ୍ୟକୁ ମଧ୍ୟ ସମର୍ଥନ କରିବ ବୋଲି ସେ କହିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଯେ, ଏନ୍‌ସିଇଆର୍‌ଟି ୧୯୬୩ ମସିହାରୁ ପ୍ରାୟ ୨୨୦ କୋଟି ପୁସ୍ତକ ଓ ପତ୍ରିକା ସହିତ ପାଠ୍ୟପୁସ୍ତକ ପ୍ରକାଶ କରି ଭାରତର ଶିକ୍ଷା କ୍ଷେତ୍ରକୁ ଆକାର ଦେଉଛି । ଏନ୍‌ସିଇଆର୍‌ଟି ଦେଶ ପାଇଁ ଏକ ପ୍ରମୁଖ ଥିଙ୍କଟ୍ୟାଙ୍କ ବୋଲି ସେ ଜୋର୍‌ ଦେଇ କହିଥିଲେ । ଏହାବ୍ୟତୀତ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନ୍ କୋଡ୍‌ରେ ଏହି ପୁସ୍ତକ ଉପଲବ୍ଧ ହେବ ବୋଲି ସେ ଘୋଷଣା କରିଥିଲେ । ଏହି ପୁସ୍ତକଗୁଡ଼ିକ ସର୍ବନିମ୍ନ ଖୁଚୁରା ମୂଲ୍ୟ (ଏମ୍‌ଆର୍‌ପି)ରେ ଉପଲବ୍ଧ ହେବ ବୋଲି ସେ ଗୁରୁତ୍ୱ ଦେଇ କହିଥିଲେ । ଆମାଜନ ସହ ଏନସିଇଆରଟିର ଭାଗିଦାରୀକୁ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରି ଏହା ସହଜ ଜୀବନଧାରଣ ଏବଂ ଶିକ୍ଷାର ଉପଲବ୍ଧତା ବୃଦ୍ଧି ଦିଗରେ ଏକ ପଦକ୍ଷେପ ବୋଲି କହିଥିଲେ । ଆସନ୍ତା ଶିକ୍ଷାବର୍ଷ (୨୦୨୫-୨୬)ରେ ଏନ୍‌ସିଇଆର୍‌ଟି ପୁସ୍ତକ ପ୍ରକାଶନକୁ ତିନିଗୁଣ ବୃଦ୍ଧି କରି ୧୫ କୋଟି ପୁସ୍ତକ ପ୍ରକାଶ କରିବ । ଏକବିଂଶ ଶତାବ୍ଦୀର ପାଠ୍ୟପୁସ୍ତକ ବିକାଶ ପାଇଁ ଏନ୍‌ସିଇଆର୍‌ଟିକୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନଙ୍କୁ ସୂଚନା ଦେଇଥିଲେ । ଅମୃତ କାଳର ୩୦୦ ନିୟୁତ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷଣକୁ ଆନନ୍ଦଦାୟକ କରିବା ଉପରେ ଗୁରୁତ୍ୱାରୋପ କରି ସେ ଇଣ୍ଟରଆକ୍ଟିଭ୍ ଓ ଏଆଇ ଦ୍ୱାରା ପରିଚାଳିତ ଏବଂ କଥା କହିବାର ବୈଶିଷ୍ଟ୍ୟ ଥିବା ଇ-ପୁସ୍ତକର ବିକାଶ ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜ୍ଞାପନ କରି ସେ ସମସ୍ତ ୨୩ଟି ଭାଷାରେ ପୁସ୍ତକ ପ୍ରକାଶନର ମହତ୍ତ୍ୱ ଉପରେ ଆଲୋକପାତ କରି କହିଥିଲେ ଯେ ପୁସ୍ତକ ହିଁ ଭାରତର ପ୍ରକୃତ ସଫ୍ଟ ପାୱାର ହେବ । ଶିକ୍ଷା କ୍ଷେତ୍ରରେ ପାଠ୍ୟପୁସ୍ତକର ମହତ୍ତ୍ୱ ଉପରେ ଆଲୋକପାତ କରି ସଚିବ ସଞ୍ଜୟ କୁମାର ଏହି ଅତ୍ୟାବଶ୍ୟକ ସମ୍ବଳ ପାଇଁ ଯୋଗାଣ ଶୃଙ୍ଖଳାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଦେଶର ମୋଟ ପୁସ୍ତକ ବିକ୍ରିର ପ୍ରାୟ ୯୬ ପ୍ରତିଶତ ପାଠ୍ୟପୁସ୍ତକଗୁଡ଼ିକୁ ଆମାଜନ ଭଳି ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ କରାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ଶ୍ରେଣୀର ଏନ୍‌ସିଇଆରଟି ପାଠ୍ୟପୁସ୍ତକ ଆମାଜନ ଏନ୍‌ସିଇଆରଟି ଷ୍ଟୋରଫ୍ରଣ୍ଟ (http://amazon.in/ncert)ରେ ଉପଲବ୍ଧ ହେବ, ଯାହା ଆଜି ମଧ୍ୟ ଉନ୍ମୋଚନ କରାଯାଇଛି । ପାଠ୍ୟପୁସ୍ତକରେ ଛପା ହୋଇଥିବା ଦରଠାରୁ ଅଧିକ ମୂଲ୍ୟରେ ପାଠ୍ୟପୁସ୍ତକ ବିକ୍ରି କରାଯିବ ନାହିଁ । ଏହି ପ୍ଲାଟଫର୍ମରେ କେବଳ ଅସଲି ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକ ବିକ୍ରି କରାଯିବ, ଯାହା ନକଲି ଏନସିଇଆରଟି ପାଠ୍ୟପୁସ୍ତକ ବିକ୍ରିକୁ ରୋକିବାରେ ସାହାଯ୍ୟ କରିବ । ଆମାଜନ ନକଲି କିମ୍ବା ଅଧିକ ମୂଲ୍ୟର ବହି ବିତରଣ କରୁଥିବା ଅନଧିକୃତ ବିକ୍ରେତାଙ୍କ ଉପରେ ନଜର ରଖିବା ଏବଂ ହଟାଇବାରେ ଏନସିଇଆରଟିକୁ ସାହାଯ୍ୟ କରିବ । ଆମାଜନର ବିଶାଳ ଡେଲିଭରି ନେଟୱର୍କ ଜରିଆରେ ଅତି ଦୁର୍ଗମ ଅଞ୍ଚଳରେ ମଧ୍ୟ ଛାତ୍ରଛାତ୍ରୀ ଓ ସ୍କୁଲ ନିର୍ଦ୍ଧାରିତ ମୂଲ୍ୟରେ ପାଠ୍ୟପୁସ୍ତକ କିଣିପାରିବେ । ଏହା ଦ୍ୱାରା ଯୋଗାଣ ବ୍ୟବଧାନ, ବିଳମ୍ବିତ ଉପଲବ୍ଧତା ଏବଂ ପାଠ୍ୟପୁସ୍ତକର ଆଞ୍ଚଳିକ ଅଭାବ ଭଳି ସମସ୍ୟାର ସମାଧାନ ହେବ ଏବଂ ଶିକ୍ଷାର ସମାନ ଉପଲବ୍ଧତା ସୁନିଶ୍ଚିତ ହେବ । ଏହି ବୁଝାମଣା ଦ୍ୱାରା ଏନ୍‌ସିଇଆର୍‌ଟି ଏହାର ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଶିକ୍ଷାଗତ ସାମଗ୍ରୀର ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଗ୍ରାହକଙ୍କ ସମୀକ୍ଷା ଏବଂ ମତାମତର ଲାଭ ଉଠାଇବାରେ ସକ୍ଷମ ହେବ । ଏହାବ୍ୟତୀତ, ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକର ଚାହିଦା ଅଧିକ ଥିବା ରାଜ୍ୟ/ଜିଲ୍ଲାରେ ଭବିଷ୍ୟତର ପ୍ରିଣ୍ଟ ଅର୍ଡର, ବିତରଣ ରଣନୀତି ଏବଂ ନୂତନ ବିତରକ ଚୟନ ସମ୍ପର୍କରେ ସଚେତନ ନିଷ୍ପତ୍ତି ନେବାକୁ ସହଜ କରିବା ପାଇଁ ଏନ୍‌ସିଇଆର୍‌ଟିକୁ ବିକ୍ରି ଏବଂ ବ୍ୟବହାର ତଥ୍ୟ ପ୍ରଦାନ କରାଯିବ ।

Leave A Reply

Your email address will not be published.