ଅବହେଳିତ ଆମ ବଲାଙ୍ଗିର ପାର୍କକୁ ଯୁବଗୋଷ୍ଠୀର ଶ୍ରମଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲାଲଟିକ୍ରା ସ୍ଥିତ ଭୀମଭୋଇ ମେଡିକାଲ ଛକ ସମନାରେ ବଲାଙ୍ଗିର ପାର୍କ ଅବସ୍ଥିତ ଯାହାକି ଅତୀତରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ତିଆରି କରାଯାଇଥିଲା । ପରବର୍ତ୍ତୀ ସମୟରେ ତାହାର ବାପା ମାଆ କେହି ରହିଲେ ନାହିଁ । ମ୍ୟୁନିସିପାଲିଟି କିମ୍ବା କୌଣସି ପ୍ରଶାସନିକ ଅନୁଷ୍ଠାନ ତାର ରକ୍ଷଣାବେକ୍ଷଣ କଲେ ନାହିଁ । ଯାହାଦ୍ୱାରା ତାହା ଅବହେଳିତ ଓ ଆବର୍ଜନାପୂର୍ଣ୍ଣ ହୋଇ ପଡିରହିଛି । ଲାଇଟ ବ୍ୟବସ୍ଥା ଯଦି ବି ସେତେବେଳେ କରାଯାଇଥିଲା ଏବେ ତାହା ସମ୍ପୁର୍ଣ୍ଣ ଅନ୍ଧକାର ଭିତରେ ରହିଛି । ଯାହାଦ୍ୱାରା ସେଠାରେ ଅସମାଜିକ କାର୍ଯ୍ୟକଳାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ସମ୍ପର୍କରେ ଗଣମାଧ୍ୟମ ଓ କର୍ତ୍ତପକ୍ଷଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ । ଏତାଦୃଶ ଅବସ୍ଥାକୁ ଅବଲୋକନ କରି ବିନୋଦ କାଲସାଏ, ସୁରେଶ କମ୍ପ, ସୁମେଶ ଡାଙ୍ଗ, ହରିଓମ ପଟେଲ, ଆକାଶ ମାହାଣ, ଆଶ୍ୱାନ ମଲ୍ଲିକ, ସନ୍ତୋଷ ପଟେଲ ପ୍ରମୁଖ କିଛି ସ୍ୱେଚ୍ଛାସେବୀ ଓ ପ୍ରକୃତିପ୍ରେମୀ ଯୁବକ ସହୃଦୟତା ଦେଖାଇ ପାର୍କକୁ ସଫା ସୁତୁରା କରି ଆବର୍ଜନାମୁକ୍ତ କରିବାକୁ ପ୍ରଚେଷ୍ଟା କରିଛନ୍ତି । ନିଜେ ଶ୍ରମଦାନ କରି ଏହାକୁ ସ୍ୱଚ୍ଛ ରଖିବା ଦିଗରେ ସେମାନଙ୍କ ଉଦ୍ୟମ ଯଥାର୍ଥରେ ପ୍ରଶଂସନୀୟ । ଏହି ଯୁବଗୋଷ୍ଠୀ ବଲାଙ୍ଗିର ମ୍ୟୁନିସିପାଲିଟିକୁ ଚେତେଇ ଦେଇଛନ୍ତି ଯେ ଯଦି ଏଭଳି ପରିସ୍ଥିତି ବଲାଙ୍ଗିର ସହରରେ ଆଉ କେଉଁଠି ଉପୁଜେ ଓ କଥିତ ପାର୍କ ଯଦି ସଫାସୁତୁରା ନ ରହେ ତାହେଲେ ପରବର୍ତ୍ତୀ ସମୟରେ ମ୍ୟୁନିସିପାଲିଟି ଏହି ଯୁବଗୋଷ୍ଠୀର ଆନ୍ଦୋଳନର ସ୍ୱର ଶୁଣିବ ।

Leave A Reply

Your email address will not be published.