ରୋତ କଲେଜରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ଆଜି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଧ୍ୟାପକ ବାମଦେବ ମେହେର ଓ ଡକ୍ଟର ସୋମନାଥ ପଧାନ ମଞ୍ଚାସୀନ ଥିଲେ । ଅଧ୍ୟାପକ ଡକ୍ଟର ଲିଙ୍ଗରାଜ ମେହେର ସଭା ସଂଯୋଜନା କରି ଶେଷରେ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଝରଣା, ନୀଳିମା, ସରସ୍ୱତୀ, ନନ୍ଦିତା, ସୁଦେଷ୍ନା, ଆଶା, ବିନୋଦିନୀ ପ୍ରମୁଖ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ତୃତୀୟ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ବିଭାଗର ଆଦର୍ଶ ଓ ଶୃଙ୍ଖଳା ସଂପର୍କରେ ବଖାଣି ଥିଲେ । ଏହି ଅବସରରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସ୍ତରରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ତୃପ୍ତିମୟୀ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମହାବିଦ୍ୟାଳୟର ଅନ୍ୟାନ୍ୟ ବିଭାଗ ଯଥା ଇତିହାସ, ଶିକ୍ଷା, ରାଜନୀତି ବିଜ୍ଞାନ, ପଦାର୍ଥ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଗଣିତ ବିଭାଗ ଓ ଛାତ୍ରୀ ନିବାସରେ ମଧ୍ୟ ବିଭିନ୍ନ ଦିବସରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଖୁବ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି ।

Leave A Reply

Your email address will not be published.