ଦେବାଳୟ ଓ କୋଶଳ କଳାମଣ୍ଡଳ ସୁରକ୍ଷା ପାଇଁ ଉପ ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ଐତିହାସିକ ମନ୍ଦିର ଏବଂ ବିଶେଷ କରି କଳା ସଂସ୍କୃତିର ଐତିହ୍ୟ ପୀଠ କୋଶଳ କଳାମଣ୍ଡଳ ଅବସ୍ଥିତ । ମାତ୍ର ପରିତାପର ବିଷୟ ଯେ ପ୍ରାୟତଃ ମନ୍ଦିର ଏବଂ କୋଶଳ କଳା ମଣ୍ଡଳ ଅବହେଳିତ ଅବସ୍ଥାରେ ରହିଛି । ଅନେକ ସମୟରେ ଏ ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଫଳପ୍ରସୁ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଥିରେ ଆହତ ହୋଇ ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କୁ ତାଙ୍କର ସର୍କିଟ ହାଉସରେ ଅବସ୍ଥାନ ସମୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛି । ରାଣୀପୁର ଝରିଏଲ, ହରିଶଙ୍କର ମନ୍ଦିର, ବଲାଙ୍ଗିର ସହର ସ୍ଥିତ ପାଟଣେଶ୍ୱରୀ ମନ୍ଦିର, ସମଲେଇଶ୍ୱରୀ ମନ୍ଦିର, ଲୋକନାଥ ମନ୍ଦିର, ଗୋପାଳଜୀ ମନ୍ଦିର ଓ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରଭୃତିର ଉନ୍ନତିକରଣ ପାଇଁ ପୂର୍ବରୁ ଓଡିଶା ସରକାର ଆର୍ଥିକ ଅନୁଦାନ ପ୍ରଦାନ କରିଛନ୍ତି । କୋଶଳ କଳାମଣ୍ଡଳର ଉନ୍ନତିକରଣ ପାଇଁ ମଧ୍ୟ ପୂର୍ବରୁ ଆର୍ଥିକ ଅନୁଦାନର ବ୍ୟବସ୍ଥା କରାଯାଇଛି ମାତ୍ର ସେସବୁ ଅର୍ଥ ବିନିଯୋଗ ନ ହୋଇ ପଡିରହିଛି । ଉକ୍ତ ଅନୁଦାନ ଅର୍ଥକୁ ବିନିଯୋଗ କରି ମନ୍ଦିର ସମୁହ ତଥା କୋଶଳ କଳାମଣ୍ଡଳର ଉନ୍ନତିକରଣ କରାଯାଉ ବୋଲି ଦେବାଳୟ ସୁରକ୍ଷା କମିଟି ଉପ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦୃଢ ଦାବି କରିଛି । ଉପ ମୁଖ୍ୟମନ୍ତ୍ରୀଙ୍କୁ ଦେବାଳୟ ସୁରକ୍ଷା କମିଟି ଚେତେଇ ଦେଇଛି ଯେ, ସେ କେବଳ ଓଡିଶାର ଉପ ମୁଖ୍ୟମନ୍ତ୍ରୀ ନୁହନ୍ତି ତା ସହିତ ପାଟଣା ରାଜ୍ୟର ମହାରାଜା ମଧ୍ୟ ଅଛନ୍ତି । କୋଶଳ କଳାମଣ୍ଡଳ ତାଙ୍କର ପ୍ରପିତା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଦ୍ୱାରା ପ୍ରଦତ୍ତ ଏବଂ ପ୍ରତିଷ୍ଠିତ । ମନ୍ଦିର ସମୁହ ଓ କୋଶଳ କଳାମଣ୍ଡଳର ସୁପରିଚାଳନା ଉପରେ ରାଜ ପରିବାରର ନୈତିକ ଦାୟିତ୍ୱ ରହିଛି ତେଣୁ ଏହାର ଅବହେଳା ସମୟରେ ବଲାଙ୍ଗିର ଜନସାଧାରଣ ଉପ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅନେକ କିଛି ଆଶା କରନ୍ତି । ଦେବାଳୟ ସୁରକ୍ଷା କମିଟି କୋଶଳ କଳାମଣ୍ଡଳର ପ୍ରତିଷ୍ଠାତା ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଏକ ପ୍ରତିମୃର୍ତ୍ତି କୋଶଳ କଳାମଣ୍ଡଳ ଠାରେ ସ୍ଥାପିତ କରିବାକୁ ଦାବି କରିଥିଲେ । ଦେବାଳୟ ସୁରକ୍ଷା କମିଟିର ଉପ ସଭାପତି ପ୍ରଶାନ୍ତ ମହାକୁର, ସଂପାଦକ ନରେନ୍ଦ୍ର କବାଟ, କୋଷାଧ୍ୟକ୍ଷ ରିଣ୍ଟୁ ସାହୁ, ସଚ୍ଚିଦାନନ୍ଦ ନାଏକମ, ସୁରେନ୍ଦ୍ର ନେଗୀ, ଦାବିପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.