କୁଶଙ୍ଗାଇ ଶକ୍ତି ପୀଠରେ ଷୋହଳ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ରହିଛି ମାଁ କୁଶଙ୍ଗାଇଙ୍କ ପ୍ରାଚୀନ ପୀଠ । ହଜାରେ ବର୍ଷ ପୁରୁଣା ଏହି ଦେବୀ ପୀଠରେ ରୀତିନିତି ଅନୁସାରେ ଆଶ୍ୱିନ କୃଷ୍ଣପକ୍ଷ ମୂଳାଷ୍ଟମୀ (ପୁଅଜିଉଁତିଆ) ତିଥି ଠାରୁ ମାଁଙ୍କର ଖଣ୍ଡା ବସା ଯାଇ ଷୋହଳ ପୂଜା ଆରମ୍ଭ ହୋଇଯାଇଛି । ଏହି ଷୋହଳପୂଜା ଚଳିତ ମାସ ମହାଷ୍ଟମୀ ତିଥି ପର୍ଯ୍ୟନ୍ତ ଚଳିବ । ଷୋଡଶ ଉପଚାରରେ କୁଶଙ୍ଗାଇ ଦେବୀଙ୍କର ଶାରଦୀୟ ପୂଜା ନିଷ୍ଠାର ସହିତ ଅନୁଷ୍ଠିତ ହୋଇଥାଏ । ମନ୍ଦିର ପରିସରରେ ଭାଗବତ ପାରାୟଣ, ସନ୍ଧ୍ୟାରେ ଭଜନ, କିର୍ତ୍ତନ ଏବଂ ମାଁଙ୍କର ପୂଜାବିଧି ଯଥା ରୀତି ଅନୁସାରେ ଅନୁଷ୍ଠିତ ହେଉଛି । ଏହି ଶାରଦୀୟ ପୂଜା ସମୟରେ ଦୂର ଦୂରାନ୍ତରୁ ଭକ୍ତମାନେ ମାଁଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା କରିବା ପାଇଁ ଆସିଥାନ୍ତି । କୁଶଙ୍ଗାଇ ଦେବୀଙ୍କର ସେବାୟତମାନେ ନିଷ୍ଠାର ସହିତ ସେବାପୂଜା କରିଥାନ୍ତି । ମନ୍ଦିର ପରିସର ଢୋଳ, ନିଶାନ, ମହୁରୀ ବାଦ୍ୟରେ ମୁଖରିତ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ । ଏହି ଷୋହଳପୂଜା ସମୟରେ କୁଶଙ୍ଗାଇ ଦେବୀଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା ତଥା ପୀଠରେ ଚଣ୍ଡୀପାଠ କଲେ ପୂଣ୍ଣ୍ୟଫଳ ମିଳେ ଏବଂ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଭକ୍ତମାନଙ୍କ ବିଶ୍ୱାସ ରହିଛି । ଆଦ୍ୟାଶକ୍ତି ମହିମାମୟୀ କୁଶଙ୍ଗାଇ ଦେବୀଙ୍କ ମହିମା କେଉଁ ଆବହମାନ କାଳରୁ ବଲାଙ୍ଗିର ଜିଲ୍ଲାରେ ପ୍ରସିଦ୍ଧି ରହିଛି । ଏହା ଏକ ପ୍ରସିଦ୍ଧ ତନ୍ତ୍ର ପୀଠ ଭାବରେ ମଧ୍ୟ ପୂର୍ବରୁ ଖ୍ୟାତି ରହି ଆସିଛି । ଚଳିତ ଷୋହଳପୂଜା ସମୟରେ ବରିଷ୍ଠ ପୂଜକ ଲୋକନାଥ ଦେହେରୀଙ୍କ ପରୁଆଁ (ଜ୍ୟେଷ୍ଠ) ପୁଅ ଦେବଦତ୍ତ ଦେହେରୁଙ୍କୁ ପ୍ରଥମ କରରି ବଇଲ (ବରୁଆ) ଭାବରେ ଅଧିଷ୍ଠିତ କରାଯିବ । ପ୍ରକାଶ ଥାଉକି ଦେହେରୀ ପରିବାରର ବଂଶାନୁକ୍ରମିକ ଓ ପରଂପରା ଭାବରେ ଜ୍ୟେଷ୍ଠ ପୁତ୍ର କୁଆଁର ବା ଅବିବାହିତ ସମୟରରେ ଏହି ବଇଲ ବସାଯାଇଥାଏ । ଏହି ବଇଲବସା ପର୍ବ ପ୍ରାୟ ୪୦ ବର୍ଷ ଅନ୍ତରରେ ଥରେ ଦେଖିବାର ସୁଯୋଗ ମିଳିଥାଏ । ତେଣୁ ନୁଆଁ ବଇଲ ଆସନ୍ତା ଆଶ୍ୱିନ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହେବାର ସ୍ଥିରିକୃତ ହୋଇଛି । ମାଁଙ୍କର ଷୋହଳ ପୂଜାର ଅନ୍ତିମ ତିଥି ମହାଷ୍ଟମୀ ରିତିରେ ସର୍ବ ସାଧାରଣଙ୍କ ଦର୍ଶନ ନିମନ୍ତେ ବଇଲଯାତ୍ରା ଅନୁଷ୍ଠିତ ହେବ । କୁଶଙ୍ଗାଇ ଦେବୀଙ୍କର ଷୋହଳ ପୂଜା ମନ୍ଦିର କମିଟି, ଗ୍ରାମବାସୀ ତଥା ସେବାୟତମାନଙ୍କ ସହଯୋଗରେ ମହାଆଡମ୍ବରରେ ସଂପାଦିତ ହୋଇଥାଏ । ତେଣୁ ଏହି ଶାରଦୀୟ ପୂଜା ଅବସରରେ ଚଳଚଞ୍ଚଳ ହୋଇ ଉଠେ କୁଶଙ୍ଗାଇ ମନ୍ଦିର ପରିସର । କୁଶଙ୍ଗାଇ ମନ୍ଦିର ପରିସରରେ ଥିବା କୁଶଳେଶ୍ୱର ମୁନ୍ଦିର ବୁଢାରଜା ମନ୍ଦିର, ଗଣେଶ ମନ୍ଦିର, ଖମ୍ବେଶ୍ୱର ମନ୍ଦିର ଏବଂ ହନୁମାନ ମୂର୍ତ୍ତି ରହିଛି । ଉକ୍ତ ଦେବାଦେବୀଙ୍କର ମଧ୍ୟ ପୂଜାର୍ଚ୍ଚନା କରି ଦର୍ଶନାର୍ଥୀ ତଥା ଭକ୍ତମାନେ ସୌଭାଗ୍ୟ ମନେ କରନ୍ତି । କୁଶଙ୍ଗାଇ ଦେବୀ ପୀଠ ଏକ ପ୍ରଚୀନ ପୀଠ ହୋଇଥିବାରୁ ଭକ୍ତଉପାସକ ବହୁ ସଂଖ୍ୟାରେ ଏହି ଶକ୍ତିପୀଠକୁ ଆସି ଏହି ସମୟରେ ଦର୍ଶନ କରିଥାନ୍ତି ।

Leave A Reply

Your email address will not be published.